‘ହର୍‌ ଘର୍‌ ତିରଙ୍ଗା’ ଅଭିଯାନରେ ବିକ୍ରି ହେଲାଣି ୨୦ କୋଟିରୁ ଊର୍ଦ୍ଧ୍ବ ଜାତୀୟ ପତାକା

ନୂଆଦିଲ୍ଲୀ: ‘ହର୍‌ ଘର୍‌ ତିରଙ୍ଗା’ ଅଭିଯାନ ଘୋଷଣା ହେବା ସମୟରୁ ଜନସାଧାରଣଙ୍କୁ ୨୦ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରୟ କରାଗଲାଣି ବୋଲି ଶୁକ୍ରବାର ଦିନ ସଂସ୍କୃତି ମନ୍ତ୍ରାଳୟର ଅଧିକାରୀମାନେ କହିଛନ୍ତି।

ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ନିଜ ନିଜର ଘରେ ଜାତୀୟ ପତାକା ଉତ୍ତୋଳନ କିଂବା ପ୍ରଦର୍ଶନ କରି ‘ହର୍‌ ଘର୍‌ ତିରଙ୍ଗା’ ଅଭିଯାନକୁ ସମୃଦ୍ଧ କରିବା ଲାଗି ଜୁଲାଇ ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ଦେଶ ସ୍ବାଧୀନତାର ୭୫ ବର୍ଷ ଅବସରରେ ‘ହର୍‌ ଘର୍‌ ତିରଙ୍ଗା’ ଅଭିଯାନ ଚଳାଇବା କଥା କେନ୍ଦ୍ର ସରକାର ପରିକଳ୍ପନା କରିଥିଲେ। ‘ଫ୍ଲାଗ୍‌ କୋଡ୍‌’ରେ ପରିବର୍ତ୍ତନ ଯୋଗୁଁ ଜାତୀୟ ପତାକାର ଚାହିଦା ବୃଦ୍ଧି ପାଇଛି ଏବଂ ଲୋକେ ୨୦ କୋଟିରୁ ଅଧିକ ଜାତୀୟ ପତାକା ଖରିଦ କରିସାରିଲେଣି।

Image Courtesy of Oneindia

‘ଫ୍ଲାଗ୍‌ କୋଡ୍‌’ ପରିବର୍ତ୍ତନ ଅନୁସାରେ, ଦିନରାତି ଜାତୀୟ ପତାକା ଉତ୍ତୋଳନ କରାଯାଇ ପାରିବ। ପତାକା ପଲିଷ୍ଟର୍‌ କପଡ଼ାରେ ଓ ମେସିନ୍‌ ତିଆରି ହେବା ଉଚିତ।

ସୂଚନାଯୋଗ୍ୟ, ଆଜିଠାରୁ ଆରମ୍ଭ ହେଉଥିବା ‘ହର୍‌ ଘର୍‌ ତିରଙ୍ଗା’ ଅଭିଯାନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସକାଳ ୮ଟା ବେଳେ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିବା ଏହି ଅଭିଯାନରେ ଯୋଗ ଦେବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର