ଗଂଗା ନଦୀରୁ ମିଳିଛି ୨୦୦୦ରୁ ଅଧିକ ଶବ!

ପ୍ରୟାଗରାଜରେ ୩ ଶହ ଶବ ଠାବ

ନୂଆଦିଲ୍ଲୀ: ଗତ କିଛିଦିନ ହେଲା ଗଂଗା ନଦୀରେ ଶବ ଭାସିବା ଖବର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମେ ବିହାରର ବକ୍ସର ଜିଲ୍ଲାରେ ଗଂଗାରେ ଶବ ଭାସୁଥିଲା। ବକ୍ସର କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ସଂସଦୀୟ କ୍ଷେତ୍ର। ତେଣୁ ସେଠାରେ ଗଂଗା ନଦୀରୁ ପ୍ରଥମେ ୪୦ରୁ ଅଧିକ ଶବ ଭାସୁଥିବା ଦେଖିବାକୁ ମିଳିବା ପରେ ଦେଶରେ କରୋନାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଥିଲା। କରୋନାରେ ମୃତ ବ୍ୟକ୍ତିଙ୍କ ପରିବାର କୌଣସି କାରଣରୁ ଶବ ଦାହ ନକରି ଗଂଗାରେ ଭସାଇ ଦେଉଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଏବେ ଆହୁରି ଭୟାନକ ଖବର ସାମ୍ନାକୁ ଆସୁଛି। ଉତ୍ତର ପ୍ରଦେଶରେ ଗଂଗା ନଦୀ ପ୍ରାୟ ୧୧୪୦ କିମି ପର୍ଯ୍ୟନ୍ତ ପ୍ରବାହିତ ହୋଇଛି।

ଏହାପରେ ବିହାରରେ ପ୍ରବେଶ କରିଛି। ଉତ୍ତର ପ୍ରଦେଶର ୧୧୪୦ କିମି ମଧ୍ୟରେ ୨୦୦୦ରୁ ଅଧିକ ଶବ ଗଂଗା ନଦୀରୁ ମିଳିଥିବା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି। ରିପୋର୍ଟ ମୁତାବକ ୩୫୦ରୁ ଅଧିକ ଶବ କନୌଜର ମହାଦେବୀ ଗଂଗା ଘାଟରେ ପୋତା ଯାଇଛି। ପ୍ରଶାସନ ମାଟି ପକାଇ ଏହି ଶବକୁ ପୋତିଥିବା କୁହାଯାଉଛି। ସେହିଭଳି କାନପୁର ନିକଟରେ ଶେରେଶ୍ବର ଘାଟ ନିକଟରେ ୪୦୦ରୁ ଅଧିକ ଶବ‌ ପୋତାଯାଇଛି ବୋଲି କୁହାଯାଉଛି। ପ୍ରୟାଗରାଜରେ ମଧ୍ୟ ନଦୀ ବାଲିରୁ ୩ ଶହରୁ ଅଧିକ ଶବ ଠାବ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର