‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ୩ କୋଟିରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଗରିବମାନଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ୩ କ‌ୋଟିରୁ ଅଧିକ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ବୋଲି ଆଜି ଘୋଷଣା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଉକ୍ତ ଘର ସବୁ ‘ମହିଳା ସଶକ୍ତିକରଣର ସଙ୍କେତ’ ପାଲଟିଛି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ପ୍ରତ୍ୟେକ ଗରିବଙ୍କୁ ପକ୍କାଘର ଯୋଗାଇ ଦେବା ନିମନ୍ତେ କରିଥିବା ସଙ୍କଳ୍ପରେ ଆମେ ଗୁରୁତ୍ବପୂର୍ଣ୍ଣ ସୋପାନ ଅତିକ୍ରମ କରିଛୁ। କବେଳ ଜନସାଧାରଣଙ୍କ ଭାଗୀଦାରୀରେ ୩ କ‌ୋଟିରୁ ଅଧିକ ଘର ତୋଳିବା ସମ୍ଭବପର ହୋଇପାରିଛି। ମୌଳିକ ସୁବିଧା ଥିବା ଏହି ଘର ସବୁ ଆଜି ମହିଳା ସଶକ୍ତିକରଣର ସଙ୍କେତ ପାଲଟି ‌ଯାଇଛି।

ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨.୫୨ କୋଟି ପକ୍କାଘର ନିର୍ମାଣ ସମ୍ପନ୍ନ ହୋଇଛି। ଏଥିପାଇଁ ୧.୯୫ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା।

Image Courtesy of The Indian Express

ନଗରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏ ପର୍ଯ୍ୟନ୍ତ ପ୍ରାୟ ୫୮ ଲକ୍ଷ ପକ୍କାଘର ନିର୍ମାଣ ଶେଷ ହୋଇଛି। ଏ ଉଦ୍ଦେଶ୍ୟରେ ୧.୧୮ ଲକ୍ଷ କୋଟି ଟଙ୍କା ମଞ୍ଜୁର ହୋଇଥିଲା।

ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ରନ୍ଧନ ଗ୍ୟାସ୍‌ ସଂଯୋଗ କରାଯିବା ସହ ପ୍ରତ୍ୟେକ ଘରେ ଜଳ ଓ ବିଜୁଳି ସଂଯୋଗ ଭଳି ମୌଳିକ ସୁବିଧା ରହିଛି। ଅର୍ଥାଭାବରୁ ଘର ନିର୍ମାଣ କରିପାରୁ ନ ଥିବା ଦେଶର ଗରିବ ଜନସାଧାରଣଙ୍କୁ ପକ୍କାଘର ଯୋଗାଇ ଦେବା ନିମନ୍ତେ ୨୦୧୫ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ୨୦୨୨ ମାର୍ଚ ସୁଦ୍ଧା ୨ କୋଟି ପକ୍କାଘର ନିର୍ମାଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର