କୋଭିଡ୍‌ ନିୟମ ଉଲ୍ଲଂଘନ: ଏପ୍ରିଲରୁ ନଭେମ୍ବର ମଧ୍ୟରେ ୩ଲକ୍ଷରୁ ଅଧିକ ଚାଲାଣ କାଟିଛି ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ: କୋଭିଡ ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ ପାଇଁ ଦିଲ୍ଲୀ ପୁଲିସ ଗତବର୍ଷ ଏପ୍ରିଲ ୧୯ରୁ ଚଳିତ ବର୍ଷ ନଭେମ୍ବର ୩ ମଧ୍ୟରେ ସର୍ବମୋଟ ୩,୧୪,୯୭୭ଟି ଚାଲାଣ ଜାରି କରିଛି। ଏଥିମଧ୍ୟରୁ ସର୍ବାଧିକ ଚାଲାଣ ମୁହଁରେ ମାସ୍କ ନ ପିନ୍ଧିବା ପାଇଁ ଲୋକଙ୍କୁ ଜାରି କରାଯାଇଛି।

ଦିଲ୍ଲୀ ପୁଲିସ ପକ୍ଷରୁ ପ୍ରଦତ୍ତ ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ବର୍ଷ ଏପ୍ରିଲ ୧୯ରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଲକଡାଉନ୍‌ ଘୋଷଣା ପରଠାରୁ ଏପରି ଉଲ୍ଲଂଘନ ପାଇଁ ସର୍ବମୋଟ ୩,୧୪,୯୭୭ ଚାଲାଣ ଜାରି କରାଯାଇଛି। ତଥ୍ୟରୁ ଜଣାପଡିଛି ଯେ ଏପର୍ଯ୍ୟନ୍ତ ମୋଟ ଚାଲାଣ ମଧ୍ୟରୁ ମାସ୍କ ନିୟମ ଉଲ୍ଲଂଘନ ପାଇଁ ସର୍ବାଧିକ ୨,୭୮,୫୦୫ଟି ଜାରି କରାଯାଇଛି। ଏହା ପରେ ସାମାଜିକ ଦୂରତା ନିୟମ ପାଳନ ନକରିବା ପାଇଁ ୩୦,୩୬୮ ଏବଂ ମଦ, ପାନ, ଗୁଟଖା, ତମାଖୁ ସେବନ ପାଇଁ ୨,୯୫୬ଟି ଚାଲାଣ ଜାରି କରାଯାଇଥିଲା। ଅନ୍ୟ ୧,୬୮୪ଟି ଚାଲାଣ ବାହାରେ ଛେପ ପକାଇବା ପାଇଁ ଏବଂ ବୃହତ ଜନସମାବେଶ ଏବଂ ସମାଗମ ଆୟୋଜନ ପାଇଁ ୧,୪୬୪ଟି ଜାରି କରାଯାଇଥିଲା ବୋଲି ଜାରି ତଥ୍ୟରେ ଦର୍ଶାଯାଇଛି।

ମେ ୩୧ରୁ ସରକାର ନିର୍ମାଣ ଏବଂ ଉତ୍ପାଦନ କାର୍ଯ୍ୟକଳାପକୁ ଅନୁମତି ଦେବା ସହିତ ପର୍ଯ୍ୟାୟକ୍ରମେ ଦିଲ୍ଲୀରେ ’ଅନଲକ୍‌’ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସପ୍ତାହରେ ବଜାର, ମଲ୍‌, ମେଟ୍ରୋ ଟ୍ରେନ୍‌, ରେଷ୍ଟୁରାଣ୍ଟ ଏବଂ ବାର୍‌ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର