୩ ଦିନ ଧରି ସଂକ୍ରମଣ ୩ ଲକ୍ଷ ଉପରେ: ଓମିକ୍ରନ୍‌ ମାମଲା ୧୦ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ମାମଲା ଲଗାତାର ୩ ଦିନ ଧରି ୩ ଲକ୍ଷ ଉପରେ ରହୁଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୩,୩୭,୭୦୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହି ସମୟ ମଧ୍ୟ ୪୮୮ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଛି। ମୋଟ୍‌ ମୃତ୍ୟୁସଂଖ୍ୟା ୪୮୮,୮୮୪ରେ ପହଞ୍ଚିଛି। ସକ୍ରିୟ ମାମଲା ୨୧,୧୩,୩୬୫ ରହିଥିବା ବେଳେ ୨୩୭ ଦିନରେ ଏହା ସର୍ବାଧିକ। ଦେଶରେ ଦୈନିକ ପଜିଟିଭ୍‌ ହାର ୧୭.୨୨ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭ୍‌ ହାର ୧୬.୬୫ ପ୍ରତିଶତ ରହିଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଯାଇଛି। ମୋଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୫୦ରେ ପହଞ୍ଚିଛି।

ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି। ତୃତୀୟ ଲହରରେ ଏହା ଦିଲ୍ଲୀରେ ସର୍ବାଧିକ କରୋନା ମୃତ୍ୟୁ। ଜୁନ୍‌ ୫ରେ ଶେଷ ଥର ପାଇଁ ଦିଲ୍ଲୀରେ ସର୍ବାଧିକ ୬୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ମହାରାଷ୍ଟ୍ରରେ ନୂଆ ମାମଲା ୪୮,୨୭୦ ରହିଛି। ମହାରାଷ୍ଟ୍ରରେ ୧୪୪ ନୂଆ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିବା‌ବେଳେ ୫୨ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଏଯାବତ ୭୧.୩୪ କୋଟି କରୋନା ଟେଷ୍ଟ୍‌ କରାଯାଇଛି। ଗତ ୨୪ ଘଣ୍ଟାରେ ୧୯,୬୦,୯୫୪ ନମୁନା ଟେଷ୍ଟ୍‌ ହୋଇଛି। ଏଯାବତ ଦେଶରେ ୧୬୧.୧୬ କୋଟି ଟିକା ଦିଆଯାଇଛି ଏବଂ ସବୁ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି।

ସମ୍ବନ୍ଧିତ ଖବର