ଦିଲ୍ଲୀରୁ ଗୋଟେ ଦିନରେ ୪ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ, ଜଣେ ମୃତ

ନୂଆଦିଲ୍ଲୀ: ଗୋଟିଏ ଦିନରେ ଦିଲ୍ଲୀରୁ ଚିହ୍ନଟ ହେଲେ ୪ ହଜାରରୁ ଅଧିକ କୋଭିଡ୍ ପଜିଟିଭ୍ । ଦୀର୍ଘ ୭ ମାସ ପରେ ଦେଶର ରାଜଧାନୀରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଦିଲ୍ଲୀରୁ ଗତ ୨୪ ଘଣ୍ଟା ଭିତରେ ୪୦୯୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇବା ପରେ ଏବେ ଦିଲ୍ଲୀରେ ପଜିଟିଭିଟି ହାର ୬.୪୬ ପ୍ରତିଶତ ରହିଛି ।

ନୂଆଦିଲ୍ଲୀରେ ମେ’ ୧୮ ତାରିଖରେ ୪୪୮୨ କୋଭିଡ୍ ମାମଲା ସାମ୍ନାକୁ ଆସିଥିଲା । ସେବେଠୁ ଆଜି ପର୍ଯ୍ୟନ୍ତ ଦିଲ୍ଲୀରେ କେବେ ବି ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇନଥିଲେ । ହେଲେ ଆଜି ଆସିଥିବା ହୋଇଥିବା କୋଭିଡ୍ ରିପୋର୍ଟ ଗତ ୭ ମାସର ରେକର୍ଡକୁ ଭାଙ୍ଗିଦେଇଛି । ତେବେ ଓମିକ୍ରନ୍ ପ୍ରଭାବରୁ ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ବଢୁଥିବା ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।  ନୂଆଦିଲ୍ଲୀରୁ ଏତେ ଲୋକ କରୋନା ପଜିଟିଭ୍ ହେବା ପରେ ସେଠାରେ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି । ଏବେ ସେଠାରେ ୧୦,୯୮୬ କୋଭିଡ୍ ସଂକ୍ରମିତ ସକ୍ରିୟ ଅଛନ୍ତି । ଏହା ପୂର୍ବରୁ ମେ’ ୩୧ ତାରିଖରେ ସେଠାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧,୦୪୦ ଥିଲା ।

ଅନ୍ୟପଟେ, ଦିଲ୍ଲୀରେ ଗତ ୨୪ ଘଣ୍ଟା ଭିତରେ ଜଣେ କୋଭିଡ୍ ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ସେଠାରେ କୋଭିଡ୍ ମୃତକଙ୍କ ସଂଖ୍ୟା ୨୫,୧୧୦କୁ ବୃଦ୍ଧି ପାଇଛି । ସେହିପରି ସେଠାରେ ଏବେ ୬୨୮୮ ଜଣ ରୋଗୀ ଆଇସୋଲେସନରେ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

 

 

ସମ୍ବନ୍ଧିତ ଖବର