ଟ୍ରମ୍ପ ପ୍ରଶାସନ ଦ୍ୱାରା ଯାତ୍ରା କଟକଣା ଲାଗୁ ହେବା ପୂର୍ବରୁ ୪ ଲକ୍ଷ ଯାତ୍ରୀ ଚୀନରୁ ଆମେରିକା ଆସିଥିଲେ

ନ୍ୟୁୟର୍କ : କରୋନା ଭାଇରସ କବଳରେ ପଡ଼ିଯାଇଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ରବିବାର ସୁଦ୍ଧା ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୧ ହଜାର ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୮୪୫୪ରେ ପହଞ୍ଚିଛି । ଦିନକୁ ଦିନ ସ୍ଥିତି ଅଧିକ ସାଂଘାତିକ ହେବାରେ ଲାଗିଛି । ତେବେ ଆମେରିକା ସରକାରଙ୍କ କେତେକ ଭୁଲ ପଦକ୍ଷେପ ଯୋଗୁଁ ଏହି ଦଶା ଭୋଗିବାକୁ ପଡ଼ିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ଜାନୁଆରି ମାସରେ ଚୀନ ସରକାର କରୋନା ଭାଇରସ ସଂପର୍କରେ ଘୋଷଣା କରିବା ପରେ ମଧ୍ୟ ଚୀନରୁ ଆମେରିକାକୁ ବିମାନ ଚଳାଚଳ ଜାରି ରହିଥିଲା । ଚୀନର ଘୋଷଣାଠାରୁ ଟ୍ରମ୍ପ ପ୍ରଶାସନ ବିମାନଚଳାଚଳ ବନ୍ଦ କରିବା ମଧ୍ୟରେ ଚୀନରୁ ଆମେରିକାକୁ ପ୍ରାୟ ୪ ଲକ୍ଷ ୩୦ ହଜାର ଲୋକ ଆସିଥିଲେ । ସେମାନଙ୍କ ମଧ୍ୟରୁ ହଜାର ହଜାର ଲୋକ କରୋନା ଭାଇରସ ଉତ୍ପତ୍ତିସ୍ଥଳ ଉହାନରୁ ଆସିଥିଲେ । ଏହା ଫଳରେ ଆମେରିକାରେ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଲା । ଯାତ୍ରା କଟକଣା ଲାଗୁ ହେବା ପୂର୍ବରୁ ଚୀନରୁ ପ୍ରାୟ ୧୩ଶହ ଫ୍ଲାଇଟ ଆମେରିକାର ୧୭ଟି ସହରକୁ ଆସିଥିଲା । ଚୀନରୁ ହଜାର ହଜାର ଲୋକ ସଂକ୍ରମିତ ହୋଇ ଆସୁଥିଲେ ମଧ୍ୟ ଆମେରିକାର ଏୟାରପୋର୍ଟ ଗୁଡ଼ିକରେ ଥର୍ମାଲ ଯାଞ୍ଚ କଡ଼ାକଡ଼ିଭାବେ କରାଯାଉନଥିଲା । ଏପରିକି ଚୀନରୁ ଆସୁଥିବା ଯାତ୍ରୀମାନଙ୍କୁ ମଧ୍ୟ ଯାଞ୍ଚ କରାଯାଉନଥିଲା । ଏସବୁ ଅବହେଳା ଯୋଗୁଁ ଆମେରିକା ଏବେ ବଡ଼ ବିପଦରେ ଫସିଯାଇଛି ।

ସମ୍ବନ୍ଧିତ ଖବର