ରାୟପୁର: ମାଓବାଦୀ ସଂଗଠନ ଗତ ୨୦ ବର୍ଷ ମଧ୍ୟରେ ଦେଶବ୍ୟାପୀ ୫୨୪୯ ମାଓବାଦୀଙ୍କୁ ହରାଇଛି। ଏଥି ମଧ୍ୟରେ ୧ ହଜାର ମହିଳା କ୍ୟାଡର ଅଛନ୍ତି।  କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ମାଓବାଦୀ)  କେନ୍ଦ୍ରୀୟ କମିଟି  ୨୫ ପୃଷ୍ଠାର ଏକ ରିପୋର୍ଟ ଜାରି କରି ଏହି ସତ୍ୟକୁ ସ୍ବୀକାର କରିଛି।  ପୁଲିସ ବାହିନୀର କାର୍ଯ୍ୟାନୁଷ୍ଠାନରେ ମାଓ ସଂଗଠନ ଦୁର୍ବଳ ହୋଇଯାଉଛି ବୋଲି ଏହି ରିପୋର୍ଟରେ ସ୍ବୀକାର କରାଯାଇଛି।  ୨୦୦୪ରୁ ୨୦୨୪ ମଧ୍ୟରେ ମାଓବାଦୀ ସଂଗଠନ କେଉଁ କ୍ଷତି ଏବଂ ଲାଭ ପାଇଛି ସେନେଇ ଏହି ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଅନୁଯାୟୀ ୨୨ ଜଣ ଶୀର୍ଷ ମାଓବାଦୀ କମାଣ୍ଡର ଏହି ସମୟ ମଧ୍ୟରେ ନିପାତ ହୋଇଛନ୍ତି।  ସେମାନଙ୍କ ମଧ୍ୟରେ ପଲିଟବ୍ୟୁରୋର ୮ ଜଣ ସଦସ୍ୟ ମଧ୍ୟ ଅଛନ୍ତି।

Advertisment

ସେହିପରି ଅନ୍ୟ ମୃତକଙ୍କ ମଧ୍ୟରେ  ୪୮ ଏସଜେଡ୍‌ସି (ସ୍ପେସାଲ ଜୋନାଲ କମିଟି) ସଦସ୍ୟ,  ୧୪ ଆରସି (ରିଜିଓନାଲ କମିଟି) ସଦସ୍ୟ, ୧୬୭  ଜିଲ୍ଲା କମିଟି ସଦସ୍ୟ, ୨୬ ସବ୍‌ ଜୋନାଲ କମିଟି ସଦସ୍ୟ,  ୫୦୫ ସ୍ଥାନୀୟ କମିଟି ସଦସ୍ୟ, ୮୮୭ ପିଏଲ୍‌ଜିଏ (ପିପୁଲ୍ସ ଲିବରେସନ୍‌ ଗରିଲା ଆର୍ମି) ସଦସ୍ୟ ଏବଂ ୩,୫୯୬ ଜଣ ନିୟମିତ ମାଓ ସଦସ୍ୟ ମଧ୍ୟ ଅଛନ୍ତି।  ରିପୋର୍ଟ ଅନୁଯାୟୀ  ବସ୍ତରର ବୁର୍କାପାଲ ଏବଂ ତଖାୱାଡ଼ାରେ ୪୦୭୩ଟି ହିଂସା ଘଟଣା ଘଟିଛି। ସେହିପରି ମହାରାଷ୍ଟ୍ର, ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ମଧ୍ୟ ହିଂସା ହୋଇଛି। ଏଥିଯୋଗୁଁ ୩୦୯୦  ଯବାନ ନିହତ ହୋଇଛନ୍ତି ଏବଂ ୪୦୭୭ ଆହତ ହୋଇଛନ୍ତି।   ମାଓବାଦୀମାନେ ୨,୩୬୫ଟି ଆଧୁନିକ ଅସ୍ତ୍ର ଏବଂ ୧୧୯,୬୮୨ ରାଉଣ୍ଡ୍‌ ଗୁଳି ଲୁଟି ନେଇଥିବା ଦାବି କରିଛନ୍ତି। ରିପୋର୍ଟ ଅନୁଯାୟୀ ୨୦୨୧ରୁ ୨୦୨୪ ମଧ୍ୟରେ ୨୬୧ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୫୧୬ ଜଣ ଆହତ ହୋଇଛନ୍ତି ଏବଂ ୨୫ଟି ଆଧୁନିକ ଅସ୍ତ୍ର ଚୋରି ହୋଇଛି।