ମାତ୍ର ୨ ଦିନରେ ଅଶାନ୍ତ ମଣିପୁରରେ ବେଆଇନ ଭାବେ ପ୍ରବେଶ କରିଛନ୍ତି ୭୦୦ରୁ ଊର୍ଦ୍ଧ୍ବ ମିଆଁମାର୍‌ ନାଗରିକ

ଇମ୍ଫାଲ୍‌: ମଣିପୁର ରାଜ୍ୟରେ ହିଂସାକାଣ୍ଡ ଅବ୍ୟାହତ ଥିବା ବେଳେ ମାତ୍ର ୨ ଦିନ ମଧ୍ୟରେ ୩୦୧ ପିଲା ଓ ୨୦୮ଜଣ ମହିଳାଙ୍କ ସମେତ ପ୍ରାୟ ୭୧୮ଜଣ ମିଆଁମାର୍‌ ନାଗରିକ ବେଆଇନ ଭାବେ ରାଜ୍ୟର ଚନ୍ଦେଲ୍‌ ଜିଲ୍ଲା ପ୍ରବେଶ କରିଥିବା କଥା ସୋମବାର ଦିନ ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ମଣିପୁରର ମୁଖ୍ୟ ଶାସନ ସଚିବ ବିନୀତ ଯୋଶୀ କହିଛନ୍ତି, ମିଆଁମାର୍‌ ନାଗରିକମାନଙ୍କୁ ବାଧା ଦେବା ପାଇଁ ରାଜ୍ୟ ସରକାର ଆସାମ ରାଇଫଲ୍‌ସ୍‌କୁ କହିଛନ୍ତି। ଭ୍ରମଣ ପାଇଁ ଆବଶ୍ୟକ କାଗଜପତ୍ର ବିନା କାହିଁକି ଓ କିଭଳି ଏହି ୭୧୮ଜଣ ମିଆଁମାର୍‌ ନାଗରିକଙ୍କୁ ଭାରତର ଚନ୍ଦେଲ୍‌ ଜିଲ୍ଲାରେ ପ୍ରବେଶ କରିବାକୁ ଅନୁମତି ଦିଆଗଲା ତା’ର ତଥ୍ୟାବଳି ଓ କାରଣ ସମ୍ବଳିତ ରିପୋର୍ଟ ଦାଖଲ କରିବା ଲାଗି ମଧ୍ୟ ସରକାର ମଣିପୁର ରାଇଫଲ୍‌କୁ ନିର୍ଦେଶ ଦେଇଛନ୍ତି।

Image Courtesy of Times Now

ମୁଖ୍ୟ ଶାସନ ସଚିବ କହିଛନ୍ତି, ବେଆଇନ ଭାବେ ପ୍ରବେଶ କରିଥିବା ଉକ୍ତ ୭୧୮ଜଣ ମିଆଁମାର ନାଗରିକମାନଙ୍କୁ ତୁରନ୍ତ ‌ସେମାନଙ୍କ ସ୍ବଦେଶକୁ ଫେରାଇ ଦେବା ପାଇଁ ରାଜ୍ୟ ସରକାର ଆସାମ ରାଇଫଲ୍‌ସ୍‌କୁ କଡ଼ା ନିର୍ଦେଶ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଶନିବାର ଓ ରବିବାର ଦିନ ମଣିପୁରରେ ପ୍ରବେଶ କରିଥିବା ମିଆଁମାର ନାଗରିକମାନେ ଚନ୍ଦେଲ୍‌ ଜିଲ୍ଲାର ଲାଜାଙ୍ଗ୍‌, ବୋନ୍‌ସେ, ନିୟୁ ସାମତାଲ୍‌, ନିୟୁ ଲାଜାଙ୍ଗ୍‌, ୟାଙ୍ଗୋନୋମ୍‌ଫାଇ, ୟାଙ୍ଗୋନୋମ୍‌ଫାଇ ସ’ ମିଲ୍‌ ଏବଂ ଐଭୋମ୍‌ଗଞ୍ଜ ଆଦି ମିଆଁମାର ସୀମାନ୍ତବର୍ତ୍ତୀ ୭ଟି ଗାଁରେ ଅବସ୍ଥାନ କରୁଛନ୍ତି।

ସମ୍ବନ୍ଧିତ ଖବର