ଦେଶରେ ଚିହ୍ନଟ ହେଲେଣି ପ୍ରାୟ ୯,୦୦୦ ବ୍ଲାକ୍ ଫଙ୍ଗସ ରୋଗୀ, ଚିକିତ୍ସା ପାଇଁ ଔଷଧର ୨୩,୦୦୦ ଭାଏଲ ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ: ସମସ୍ତ ରାଜ୍ୟକୁ ବ୍ଲାକ୍ ଫଙ୍ଗସକୁ ମହାମାରୀ ବୋଲି ଘୋଷଣା କରିବା ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେବା ପରେ ଏବେ ଦେଶରେ ପ୍ରାୟ ୯,୦୦୦ ଲୋକ ବ୍ଲାକ୍ ଫଙ୍ଗସରେ ସଂକ୍ରମିତ ହୋଇସାରିଥିବା ନେଇ ସୂଚନା ମିଳିଛି | ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା। ଦ୍ରୁତ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ପ୍ରଭାବିତ ରାଜ୍ୟକୁ ଫଙ୍ଗଲ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ଏକ ପ୍ରମୁଖ ଔଷଧର ୨୩,୦୦୦ରୁ ଅଧିକ ଭାଏଲ ପଠାଇଛନ୍ତି ବୋଲି ସେ କହିଛନ୍ତି।

ସେ ଟୁଇଟ କରି କହିଛନ୍ତି ଯେ, “ବିଭିନ୍ନ ରାଜ୍ୟରେ ବ୍ଲାକ୍ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ବିସ୍ତୃତ ସମୀକ୍ଷା ପରେ ଆଜି ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଆମ୍ଫୋଟେରିସିନ୍- ବିର ମୋଟ ୨୩,୬୮୦ ଅତିରିକ୍ତ ଭାଏଲ ବଣ୍ଟନ କରାଯାଇଛି। ମୋଟ ରୋଗୀଙ୍କ ସଂଖ୍ୟା ଉପରେ ଆଧାର କରି ଏହି ଆବଣ୍ଟନ କରାଯାଇଛି। ସମଗ୍ର ଦେଶରେ ୮,୮୪୮ଜଣ ବ୍ଲାକ୍ ଫଙ୍ଗସ ରୋଗୀ ଅଛନ୍ତି” ବୋଲି ରସାୟନିକ ଏବଂ ସାର ମନ୍ତ୍ରୀ ଶ୍ରୀ ଗୌଡା ଟ୍ୱିଟ୍ କରି କହିଛନ୍ତି |

୨,୨୮୧ ବ୍ଲାକ୍ ଫଙ୍ଗସ ରୋଗୀ ଥିବା ଗୁଜୁରାଟକୁ ୫,୮୦୦ ଭାଏଲ ଆବଣ୍ଟିତ ହୋଇଥିବାବେଳେ ଦ୍ୱିତୀୟ ଖରାପ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରକୁ ୫,୦୯୦ ଭାଏଲ ଦିଆଯାଇଛି, ଯେଉଁଠି ୨,୦୦୦ ବ୍ଲାକ୍ ଫଙ୍ଗସ ରୋଗୀ ଅଛନ୍ତି। ଆନ୍ଧ୍ରପ୍ରଦେଶରେ ୯୧୦ ବ୍ଲାକ୍ ଫଙ୍ଗସ ରୋଗୀ ଥିବାରୁ ସେଠାକୁ ୨,୩୦୦ ଭାଏଲ ପଠାଯାଇଛି ଏବଂ ପଡୋଶୀ ତେଲେଙ୍ଗାନାରେ ୩୫୦ ରୋଗୀ ଚିହ୍ନଟ ହୋଇଥିବାରୁ ସେଠାକୁ ୮୯୦ ଭାଏଲ ବଣ୍ଟନ କରାଯାଇଛି। ସେହିଭଳି ଦିଲ୍ଲୀରେ ୧୯୭ ବ୍ଲାକ୍ ଫଙ୍ଗସ ରୋଗୀ ଥିବାରୁ ସେଠାକୁ ୬୭୦ ଭାଏଲ ପଠାଯାଇଛି |

ସମ୍ବନ୍ଧିତ ଖବର