ରାଜଧାନୀ ଦିଲ୍ଲୀ ପାଲଟିଛି ଦୁଷ୍କର୍ମର ରାଜଧାନୀ; ପ୍ରତ୍ୟେକ ଦିନ ଘଟୁଛି ୫ରୁ ଅଧିକ ଦୁଷ୍କର୍ମ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବେ ପାଲଟିଛି ଦୁଷ୍କର୍ମର ରାଜଧାନୀ। ପ୍ରତ୍ୟେକ ଦିନ ଏଠାରେ ଘଟୁଛି ୫ଟିରୁ ଅଧିକ ଦୁଷ୍କର୍ମ। ଏକଥା ଆମେ କହୁନାହୁଁ; ଏହାକୁ ସ୍ୱୀକାର କରିଛନ୍ତି ଖୋଦ୍‌ ଦିଲ୍ଲୀ ପୁଲିସ୍‌ ପ୍ରଶାସନ।

ଚଳିତ ୨୦୧୮ର ଅପ୍ରେଲ ୧୫ ତାରିଖ ସୁଦ୍ଧା ରାଜଧାନୀ ଦିଲ୍ଲୀରେ ୫୭୮ଟି ଦୁଷ୍କର୍ମ ଅପରାଧ ଘଟିଥିବା ପୁଲିସ୍‌ ନିକଟରେ ଅଭିଯୋଗ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଏହି ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ୨୦୧୭ରେ ଏହି ସମୟ ମଧ୍ୟରେ ୫୬୩ଟି ଦୁଷ୍କର୍ମ ଅପରାଧ ସଂପର୍କରେ ପୁଲିସ୍‌ ନିକଟରେ ଅଭିଯୋଗ ଆଗତ ହୋଇଥିଲା। ତେବେ, ଗତବର୍ଷ ତୁଳନାରେ ଚଳିତ ବର୍ଷ ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ଉପରେ ହୋଇଥିବା ଅସଦାଚରଣର ମାତ୍ରା କମ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ସେହିପରି, ୨୦୧୭ରେ ଅପ୍ରେଲ ୧୫ ତାରିଖ ୯୪୪ଟି ମହିଳାଙ୍କ ଉପରେ ଆକ୍ରମଣ ଘଟଣା ଘଟିଥିବା ବେଳେ ଚଳିତ ବର୍ଷ ସେଇ ସମୟ ମଧ୍ୟରେ ୮୮୩ଟି ମହିଳାଙ୍କ ଉପରେ ଆକ୍ରମଣ ଘଟଣା ଘଟିଛି। ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀରେ ୨୦୧୭ରେ ୨,୦୪୯ଟି ଦୁଷ୍କର୍ମ ଅପରାଧ ଘଟିଥିବା ୨୦୧୬ରେ ୨,୦୬୪ଟି ଦୁଷ୍କର୍ମ ଅପରାଧ ଘଟିଥିବା ଏହି ସୂତ୍ରରୁ ପ୍ରକାଶ। ସେହିପରି ରାଜଧାନୀ ଦିଲ୍ଲୀରେ ୨୦୧୭ରେ ୩,୨୭୩ଟି ମହିଳା ଅସଦାଚରଣ ମାମଲା ଘଟିଥିବା ବେଳେ ୪,୦୩୫ଟି ମହିଳା ଅସଦାଚରଣ ମାମଲା ଘଟିଥିଲା ୨୦୧୬ରେ।

ସମ୍ବନ୍ଧିତ ଖବର