ମହାରାଷ୍ଟ୍ର: ଅଧାରୁ ଅଧିକ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା, ୮୭ ପ୍ରତିଶତ ବିଧାୟକ କୋଟିପତି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅଧାରୁ ଅଧିକ ବିଧାୟକଙ୍କ ନାମରେ ଅପରାଧିକ ମାମଲା ରହିଛି ବୋଲି ଏଡିଆର୍‌ ରିପୋର୍ଟରୁ ଜାଣିବାକୁ ମିଳିଛି। ସମୁଦାୟ ୨୭୫ ବିଧାୟକଙ୍କୁ ନେଇ ଏକ ସମୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୫୮ ବିଧାୟକ(୫୮ ପ୍ରତିଶତ)ଙ୍କ ନାମରେ ଅପରାଧିକ ମାମଲା ରହିଛି ବୋଲି ସୂଚନା ରହିଛି। ୧୧୦(୪୦ ପ୍ରତିଶତ) ବିଧାୟକଙ୍କ ନାମରେ ସାଂଘାତିକ ଅପରାଧିକ ମାମଲା ଥିବା ବେଳେ ତିନି ଜଣ ବିଧାୟକଙ୍କ ନାମରେ ହତ୍ୟା ଅଭିଯୋଗ ରହିଛି ଓ ୧୪ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ରହିଛି।

ଆସୋସିଏସନ୍‌ ଅଫ୍‌ ଡେମୋକ୍ରାଟିକ ରିଫର୍ମସ(ଏଡିଆର୍‌) ଏବଂ ମହାରାଷ୍ଟ୍ର ଇଲେକ୍‌ସନ ଓ୍ଵାଚ୍‌ (ଏମ୍‌ଇଡବ୍ଲୁ) ମିଳିତ ଭାବେ କରିଥିବା ଏହି ସମୀକ୍ଷାରୁ ଜାଣିବାକୁ ମିଳିଛି ଯେ ଭାରତୀୟ ଜନତା ପାର୍ଟି(ବିଜେପି)ର ୧୧୭ ଜଣ ବିଧାୟକଙ୍କ ମଧ୍ୟରୁ ୭୨(୬୨ ପ୍ରତିଶତ) ବିଧାୟକଙ୍କ ନାମରେ ଅପରାଧିକ ମାମଲା ରହିଛି। ସେହିପରି ଶିବସେନାର ୬୧ ବିଧାୟକଙ୍କ ମଧ୍ୟରୁ ୪୬(୭୫ ପ୍ରତିଶତ)ଙ୍କ ନାମରେ ଅପରାଧିକ ମାମଲା ରହିିଛି। କଂଗ୍ରେସର ସମୁଦାୟ ୪୦ ବିଧାୟକଙ୍କ ମଧ୍ୟରୁ ୧୪(୩୫ ପ୍ରତିଶତ) ଓ ୬ ଜଣ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ୪(୬୭ ପ୍ରତିଶତ)ଙ୍କ ନାମରେ ଏପରି ମାମଲା ରହିଛି।

ସେହିପରି ରିପୋର୍ଟରୁ ଆହୁରି ବି ଜାଣିବାକୁ ମିଳିଛି ଯେ ବର୍ତ୍ତମାନର ୨୭୫ ବିଧାୟକଙ୍କ ମଧ୍ୟରୁ ୨୩୯(୮୭ ପ୍ରତିଶତ) ହେଉଛନ୍ତି କୋଟିପତି। ବିଜେପିର ୮୫ ପ୍ରତିଶତ, ଶିବସେନାର ୮୪ ପ୍ରତିଶତ, ଏନ୍‌ସିପିର ୯୫ ପ୍ରତିଶତ, କଂଗ୍ରେସର ୯୦ ପ୍ରତିଶତ ଏବଂ ୮୩ ପ୍ରତିଶତ ସ୍ୱାଧୀନ ବିଧାୟକ ହେଉଛନ୍ତି କୋଟିପତି।

ସମ୍ବନ୍ଧିତ ଖବର