ନୂଆଦିଲ୍ଳୀ: ଚୀନ୍ରେ ଏଭିୟନ ଇନ୍ଫ୍ଲୁଏଞ୍ଜା ଓ ନିମୋନିଆକୁ ନେଇ ଯେଉଁ ଅସ୍ବାଭାବିକ ସ୍ଥିତି ଦେଖାଦେଇଛି ତାହା ଉପରେ ଏବେ ପୂରା ବିଶ୍ବର ନଜର ରହିଛି। ଏହି ରହସ୍ୟମୟ ନିମୋନିଆ ସଂପର୍କରେ ଚୀନ୍ ସବିଶେଷ ତଥ୍ୟ ସାର୍ବଜନୀନ କରି ନଥିଲେ ମଧ୍ୟ ମାମଲାର ଗମ୍ଭୀରତାକୁ ଦେଖି ଭାରତ ସରକାର ଏହା ଉପରେ ନଜର ରଖିଛନ୍ତି।
ତେବେ ଆମ ପରି ସାଧାରଣ ଲୋକଙ୍କୁ ବି ଏହି ସମସ୍ୟାକୁ ନେଇ ସଚେତନତା ଅବଲମ୍ବନ କରିବାକୁ ପଡ଼ିବ । ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ସାବଧାନତା ଅବଲମ୍ବନ କଲେ ଆମେ ନିଜକୁ ଓ ନିଜ ପିଲାମାନଙ୍କୁ ସୁରକ୍ଷା ଦେଇପାରିବା।
ଗଣମାଧ୍ୟମ ସଂସ୍ଥା ଏଏନ୍ଆଇକୁ ନିଜର ସାକ୍ଷାତ୍କାର ଦେଇ ‘ରାମ ମନୋହର ଲୋହିଆ ହସ୍ପିଟାଲ’ର ନିର୍ଦ୍ଦେଶକ ଡକ୍ଟର ଅଜୟ ଶୁକ୍ଲା ଏ ସଂପର୍କରେ ଅନେକ କଥା କହିଛନ୍ତି। ସେ ପ୍ରଥମ ଗୁରୁତ୍ବ ଦେଇଛନ୍ତି ପରିଷ୍କାର ପରିଚ୍ଛନ୍ନତାକୁ। ଅଧିକାଂଶ ରୋଗ ଅପରିଚ୍ଛନ୍ନତା ଯୋଗୁ ହିଁ ବ୍ୟାପିଥାଏ। ତେଣୁ ଆମକୁ ସଫାସୁତରା ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଯଦି ଆମ ଆଖପାଖରେ କେହି ସଂକ୍ରମିତି ଚିହ୍ନଟ ହେଉଛନ୍ତି ତ ଆମେ ତାଙ୍କଠାରୁ ଦୂରେଇ ରହିବା ଉଚିତ। କାରଣ ଏହି ସଂକ୍ରମଣ ବ୍ୟକ୍ତିରୁ ବ୍ୟକ୍ତିଙ୍କ ନିକଟକୁ ସଂକ୍ରମିତ ହୋଇ ବଢ଼ି ଚାଲିଥାଏ।
କରୋନା ସମୟରେ ଆମକୁ ଯେପରି ସାମାଜିକ ଦୂରତା ସହ ମାସ୍କ ପରିଧାନକୁ ମାନିବାକୁ ପଡୁଥିଲା ଏବେ ମଧ୍ୟ ସେପରି ହିଁ କରିବାକୁ ପଡ଼ିବ। ଏହା ମଧ୍ୟ ଏକ ମହାମାରୀ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏକଥା ଏବେ ଆପଣଙ୍କୁ କହିବା ଆବଶ୍ୟକ ନୁହେଁ ଯେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ହାତ ଧୋଇବା ସହ ସାନିଟାଇଜର୍ ଲଗାଇବା ମଧ୍ୟ ଜରୁରୀ।