ଉତ୍ତରାଖଣ୍ଡ ହିମସ୍ଖଳନ : ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି, ଫସିରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି

ଚମୋଲି: ଗତକାଲି ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶିମଠ ନିକଟରେ ନନ୍ଦାଦେବୀ ଗ୍ଲାସିୟର ଭାଙ୍ଗି ହିମସ୍ଖଳନ ହେବାରୁ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ୍ ପାଣି ମାଡ଼ି ଆସିବାରୁ ୧୮୦ଲୋକ ପାଣିରେ ବହିଯାଇଥିବା କୁହାଯାଉଛି। ଏ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରୁ ୨୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇସାରିଛି। ଏହା ସହ ଗତକାଲି ତପୋବନ ଡ୍ୟାମ ପାଖ ଟନେଲରେ ଫସି ରହିଥିବା ୧୬ଜଣ ଶ୍ରମିକଙ୍କୁ ସଫଳତାର ସହ ଆଟିବିପି ଯବାନ ଉଦ୍ଧାର କରିଥିବା ବେଳେ ଫସିରହିଥିବା ଅନ୍ୟ ୩୯ଜଣଙ୍କୁ ଉଦ୍ଧାର କରିବା ପାଇଁ ଟନେଲ ସଫେଇ କାର୍ଯ୍ୟ ଚାଲୁ ରହିଛି। ଏବେ ବି ୧୮୦ଜଣଙ୍କ ପତ୍ତା ମିଳୁନାହିଁ।

ତପୋବନରେ ଥିବା ଟନେଲ ଭିତରେ ୩୯ଜଣ ଫସିରହିଥିଲେ ମଧ୍ୟ ସେମାନଙ୍କୁ ଉଦ୍ଧାର କରିବା ନେଇ ଆଇଟିବିପି ପ୍ରଥମ ପ୍ରୟାସ ବିଫଳ ହୋଇଛି। ଆଇଟିବିପି ଯବାନ ଅମ୍ଲଜାନ ଏବଂ ସ୍ନଫର କୁକୁର ଧରି ଟନେଲ ଭିତରେ ପଶିଥିଲେ ମଧ୍ୟ ମାତ୍ର ୧୦୦କିଲୋମିଟର ପର୍ଯ୍ୟନ୍ତ ଯାଇପାରିଥିଲେ। ହେଲେ ମାଟି ଏବଂ ଆବର୍ଜନା ଗଦା ଥିବାରୁ ଆଗକୁ ଯାଇହୋଇ ନଥିଲା। ଏବେ ଟନେଲ ସଫେଇ କାମ ଶେଷ ହୋଇଥିବା ବେଳେ ପୁଣି ଥରେ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଆଇଟିବିପି, ଏସଡିଆରଏଫ,ଭାରତୀୟ ସେନା ଏବଂ ଏନଡିଆରଏଫ ଟିମ୍ ଟନେଲ ଭିତରକୁ ପଶିଛନ୍ତି। ଯେ ପର୍ଯ୍ୟନ୍ତ ଶ୍ରମିକଙ୍କୁ ଉଦ୍ଧାର ନକରାଯାଇଛି, ସେ ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଜାରି ରହିବ ବୋଲି ଆଇଟିବିପି ପକ୍ଷରୁ କୁହାଯାଇଛି।

ଉଦ୍ଧାରକାର୍ଯ୍ୟ ପାଇଁ ଆଇଟିବିପି, ଏସଡିଆରଏଫ, ଏନଡିଆରଏଫ, ଭାରତୀୟ ସେନା, ବାୟୁସେନା ଏବଂ ଉତ୍ତରାଖଣ୍ଡ ପୁଲିସ କାମରେ ଲାଗିଥିବା ଜଣାପଡ଼ିଛି। ଗତକାଲି ୧୬ଜଣଙ୍କୁ ତପୋବନ ଟନେଲରୁ ଉଦ୍ଧାର କରାଯାଇଥିବା ବେଳେ ଆଜି ୧୨ଜଣଙ୍କୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର