ଭାରତକୁ ଇସ୍ଲାମିକ ଷ୍ଟେଟରେ ପରିଣତ କରିବାକୁ ଉଦ୍ୟମ କରୁଥିବା ଆତଙ୍କୀ ସଂଗଠନ ବିରୋଧରେ ଚାର୍ଜସିଟ ଦାଖଲ କଲା ଏନଆଇଏ

ନୂଆଦିଲ୍ଲୀ : ଭାରତ ସରକାରଙ୍କୁ ବିତାଡ଼ିତ କରି ଭାରତକୁ ଏକ ଇସ୍ଲାମିକ ଷ୍ଟେଟରେ ପରିଣତ କରିବାକୁ ଉଦ୍ୟମ କରୁଥିବା ଏକ ଗୋପନ ସଂଗଠନ ବିରୋଧରେ ଅଭିଯୋଗପତ୍ର ଦାଖଲ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ।

ହିଜବ-ଉଟ୍-ତାହରିର (ହୁଟ୍) ନାମକ ଏହି ସଂଗଠନ  କୁଖ୍ୟାତ ଆତଙ୍କବାଦୀ ସଂଗଠନ (ଆଇଏସ) ସହ ସଂପୃକ୍ତ ଥିବା ଏନଆଇଏ ଜାଣିବାକୁ ପାଇଛି । ଏହି ସଂଗଠନ ଯୁବକମାନଙ୍କୁ ପ୍ରଭାବିତ କରି ନିଜ ସଂଗଠନରେ ସାମିଲ କରିବା ସହ ସେମାନଙ୍କୁ ଆତଙ୍କି କାର୍ଯ୍ୟରେ ନିୟୋଜିତ କରୁଥିଲା । ଏନଆଇଏ ନିଜ ଚାର୍ଜସିଟରେ ଏହି ସଂଗଠନର ଦୁଇଜଣ ସଦସ୍ୟଙ୍କ ନାମ ଦର୍ଶାଇଛି । ଏହି ଦୁଇଜଣ ହେଲେ ତାମିଲନାଡ଼ୁର ବାଭା ବହରୁଦ୍ଦିନ(୪୧) ଓ ଜିଆବୁଦ୍ଦିନ ବକାବି (୪୦) ।

ଗତ ବର୍ଷ ତାମିଲନାଡ଼ୁ ପୁଲିସ ପ୍ରଥମେ ଏହି ସଂଗଠନ ସଂପର୍କରେ ସୁରାଗ ପାଇ ତଦନ୍ତ ଆରମ୍ଭ କରିଥିଲା । ମହମ୍ମଦ ଇକବାଲ ନାମକ ଜଣେ ଯୁବକ ଫେସବୁକରେ କେତେକ ଉତ୍ତେଜକ ଲେଖା ଲେଖିବା ପରେ ଏହି ସଂଗଠନ ପୁଲିସ ନଜରକୁ ଆସିଥିଲା । ଏନେଇ ପୁଲିସ ମଦୁରାଇରେ ଏକ ମାମଲା ରୁଜ୍ଜୁ କରିଥିଲା । ତେବେ ପରେ ଏହି ମାମଲାକୁ ଏନଆଇଏ ହାତକୁ ଯାଇଥିଲା ।

ନିଜର ଚାର୍ଜସିଟରେ ଏନଆଇଏ ଉଲ୍ଲେଖ କରିଛି ଯେ ବହରୁଦ୍ଦିନ ଓ ବକାବି ସ୍ଥାନୀୟ ଯୁବକମାନଙ୍କୁ ପ୍ରଭାବିତ କରି ନିଜ ସଂଗଠନରେ ସାମିଲ କରୁଥିଲେ ଓ ସେମାନଙ୍କୁ ଭାରତରେ ଏକ ଇସ୍ଲାମିକ ଷ୍ଟେଟ ଗଠନ ପାଇଁ ଉଦ୍ୟମ କରୁଥିଲେ । ଜଣେ ଇସ୍ଲାମୀୟ ମୌଳବାଦୀଙ୍କ ଦ୍ବାରା ଲେଖାଯାଇଥିବା ଏକ ସମ୍ବିଧାନକୁ ଏକ ଇସ୍ଲାମିକ ଷ୍ଟେଟରେ ଲାଗୁ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା ।

ସମ୍ବନ୍ଧିତ ଖବର