ସିଡନୀ ୟୁନିଭରସିଟି ରିପୋର୍ଟ, ଶୀତ ଦିନରେ ଆହୁରି ବଢିପାରେ ସଂକ୍ରମଣ

ପାଣିପାଗ ସହ କରୋନାର ସମ୍ପର୍କ କ’ଣ?

ନୂଆଦିଲ୍ଲୀ: ପାଣିପାଗ ସହ କରୋନାର କଣ ସମ୍ପର୍କ ରହିପାରେ ସେନେଇ ବିଶେଷଜ୍ଞ ମାନେ ନିଜର ଗବେଷଣା ଜାରି ରଖିଛନ୍ତି । ଆଉ ଠିକ ଏତିକି ବେଳେ ସିଡନୀ ବିଶ୍ୱବିଦ୍ୟାଳୟ ରଖିଛି ଏକ ବଡ ତଥ୍ୟ । ଅଷ୍ଟ୍ରେଲିଆରେ କୋଭିଡ ୧୯ ସଂକ୍ରମଣକୁ ଅନୁଧ୍ୟାନ କରିବା ପରେ ସିଡନୀ ବିଶ୍ୱବିଦ୍ୟାଳୟ କହିଛି ଶୀତ ଦିନରେ କରୋନା ସଂକ୍ରମଣ ଅଧିକ ହୋଇପାରେ । ଶୀତ ଦିନରେ ଜଳବାୟୁରେ ଆର୍ଦ୍ରତା କମି ଯାଉଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ଅଧିକ ଥିବା ନେଇ ସିଡନୀ ବିଶ୍ୱବିଦ୍ୟାଳୟର ରିପୋର୍ଟ ପ୍ରକାଶ ପାଇଥିବା ଜଣାପଡିଛି । ଯଦି ଏହି ଗବେଷଣା ସତ ହୁଏ ତେବେ ଭାରତରେ ନଭେମ୍ବରରୁ ଜାନୁଆରୀ ମାସ ଭିତରେ ଯେତେବେଳେ ଅଧିକ ଶୀତ ପଡିବ ସେତେବେଳେ ସଂକ୍ରମଣ ବଢିବାର ଆଶଙ୍କା ରହିଛି ।

ଶୀତ ଦିନରେ ବାୟୁର ଆର୍ଦ୍ରତା କମି ଯାଉଥିବାରୁ କରୋନା ସଂକ୍ରମଣ ଅଧିକ ଥିବା ନେଇ ସିଡନୀ ବିଶ୍ୱବିଦ୍ୟାଳୟର ଗବେଷଣାରୁ ଜଣାପଡିଛି । ଅଷ୍ଟ୍ରେଲିଆର ଗବେଷଣା କହୁଛି ବାୟୁମଣ୍ଡଳର ଆର୍ଦ୍ରତା ୧% କମିଲେ କରୋନା ସଂକ୍ରମଣ ପ୍ରାୟ ୬% ବୃଦ୍ଧିପାଉଛି । ଫେବୃଆରୀ ମାସରୁ ମାର୍ଚ୍ଚ ମାସ ଭିତରେ ୭୪୯ ଜଣ ସଂକ୍ରମିତ ଓ ସେମାନେ ରହୁଥିବା ଅଂଚଳରେ ତାପମାତ୍ରା, ବୃଷ୍ଟିପାତ ଓ ବାୟୁମଣ୍ଡଳର ଆର୍ଦ୍ରତାକୁ ଆକଳନ ଆଧାରରେ ସିଡନି ବିଶ୍ୱବିଦ୍ୟାଳୟ ଏଭଳି ଆକଳନ କରିଛି । ଯଦି ଏହି ଆକଳନ ଠିକ ହୁଏ ତେବେ ଶୀତ ଦିନର ପାଣିପାଗରେ ଭୂତାଣୁ ସଂକ୍ରମିତ ହେବାର ଆଶଙ୍କା ଅଧିକ ।

ତେବେ କାହିଁକି ଆର୍ଦ୍ରତା କମିଲେ ସଂକ୍ରମଣ ଅଧିକ ହୋଥାଏ ନଜର ପକାନ୍ତୁ । ବାୟୁମଣ୍ଡଳରେ ଆର୍ଦ୍ରତା କମିଲେ ବାୟୁ ଶୁଷ୍କ ଥାଏ । କାଶ ଓ ଛିଙ୍କ ଦ୍ୱାରା ସୃଷ୍ଟି କଣିକା ଅଧିକ ସମୟ ବାୟୁମଣ୍ଡଳରେ ରହିଥାଏ । ଏଣୁ ନିଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ସଂକ୍ରମଣର ଆଶଙ୍କା ଅଧିକ । ଆର୍ଦ୍ରତା ଅଧିକ ରହିଲେ ଏହି କଣିକା ଗୁଡିକ ଓଜନଦାର ହୋଇ ତଳେ ପଡିଯାଆନ୍ତି ।ଏଣୁ ସଂକ୍ରମଣର ଆଶଙ୍କା କମ୍ ।

ସିଡନି ବିଶ୍ୱ ବିଦ୍ୟାଳୟର ଗବେଷକ ପ୍ରଫେସର ମାଇକେଲ ୱାର୍ଡ କହିଛନ୍ତି, ଆମେ ଆସୁଥିବା ଶୀତ ଋତୁ ପାଇଁ ଅଧିକ ସତର୍କ ରହିବାର ଆବଶ୍ୟକତା ଅଛି । ଶୀତ ଦିନ ଆସିବା ସହ ବର୍ତ୍ତମାନର ପରୀକ୍ଷଣ ଓ ନୀରିକ୍ଷଣ ଆହୁରି ଜଟିଳ ହୋଇପାରେ ।ଏହି ସମୟରେ କରୋନା ଭୂତାଣୁ ଅଧିକ ସଂକ୍ରମିତ ହୋଇପାରେ । ଚୀନ,ଇଉରୋପ ଓ ଆମେରିକାରେ ବି ଶୀତ ଦିନରେ କରୋନା ଭୂତାଣୁ ମହାମାରୀରର ରୂପ ନେଇଛି । ଏହି ଦେଶ ଗୁଡିକରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିଛି । ଏଣୁ ଭାରତରେ ଶୀତ ଦିନରେ କରୋନାର ପ୍ରଭାବ ନେଇ ଆଶଙ୍କା ସୃଷ୍ଟି ହେବା ସ୍ୱଭାବିକ ।

ସିଡନୀ ବିଶ୍ୱବିଦ୍ୟାଳୟର ରିପୋର୍ଟ କହୁଛି ଅନ୍ୟ ଋତୁ ଅପେକ୍ଷା ଶୀତ ଋତୁ କରେନାର ସମୟ ହୋଇପାରେ । ଭାରତକୁ ମୈାସୁମୀ ଛୁଇଁ ସାରିଥିବା ବେଳେ ନଭେମ୍ବର ସୁଦ୍ଧା ଶୀତ ପଡିବ ।ଏଭଳି ସ୍ଥିତିରେ ଯଦି ସିଡନୀ ବିଶ୍ୱବିଦ୍ୟାଳୟର ରିପୋର୍ଟକୁ ଆଧାର କରାଯାଏ ତେବେ ଭାରତରେ କରୋନା ମୁକାବିଲା ପାଇଁ ନଭେମ୍ବରରୁ ଜାନୁୟାରୀ ମାସ ବେଶ ଗୁରୁତ୍ୱପୂର୍ଣ୍ଣ ।

ସମ୍ବନ୍ଧିତ ଖବର