ମୁରାଦାବାଦ: ତୀର୍ଥକର ମେଡିକାଲ କଲେଜ ପରିଚାଳିତ (ଟିଏମୟୁ)ର କୋଭିଡ -୧୯ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କରୋନା ରୋଗୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଗୋଟିଏ ସପ୍ତାହ ମଧ୍ୟରେ ଡାକ୍ତରଖାନାରେ ଏପରି ଦ୍ୱିତୀୟ ଘଟଣା ଘଟିଛି । ଏହାପୂର୍ବରୁ ଡାକ୍ତରଖାନାର ବାଲକୋନିରୁ ଖସି ପଡ଼ି ଜଣେ କରୋନା ସଂକ୍ରମିତ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି କରିଛନ୍ତି।
ରାଜେଶ କୁମାର ବିହାରର ବାସିନ୍ଦା ଥିବା ବେଳେ ମୁରାଦାବାଦର ସିଭିଲ୍ ଲାଇନ୍ ପୁଲିସ୍ ଷ୍ଟେସନର ରାମଗଙ୍ଗା ବିହାରରେ ରହୁଥିଲେ। ସେ ମୁରାଦାବାଦ ଜିଲ୍ଲାର ପ୍ରଥମ ଗ୍ରାମୀଣ ବ୍ୟାଙ୍କର ମ୍ୟାନେଜର ଭାବରେ ନିଯୁକ୍ତ ଥିଲେ। ରାଜେଶଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ଏକ ଘରୋଇ ଲ୍ୟାବରେ ସେ କୋଭିଡ -୧୯ ପରୀକ୍ଷା କରାଇଥିଲେ। ଅଗଷ୍ଟ ୨୧ରେ ରାଜେଶ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ରାଜେଶ ନିଜେ ଘରେ ସଙ୍ଗରୋଧରେ ରହିଥିଲେ। କିନ୍ତୁ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ରାଜେଶ ନିଜେ ଅଗଷ୍ଟ ୨୫ ରେ ଟିଏମୟୁ କୋଭିଡ-୧୯ର ଏଲ-୩ ଡାକ୍ତରଖାନାରେ ପହଞ୍ଚି ଘରୋଇ ୱାର୍ଡରେ ଭର୍ତ୍ତି ହୋଇଥିଲେ।
ରାଜେଶଙ୍କ ମୃତଦେହ ଡାକ୍ତରଖାନା ପରିସରରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣା ସମ୍ପର୍କରେ ଡାକ୍ତରଖାନା ପ୍ରଶାସନ ପୁଲିସକୁ ସୂଚନା ଦେଇଥିଲା। ଏହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ଗୋଟିଏ ସପ୍ତାହ ଭିତରେ ଏଭଳି ଦୁଇଜଣ ରୋଗୀଙ୍କ ହସ୍ପିଟାଲରୁ ପଡ଼ି ମୃତ୍ୟୁ ହେବା ଘଟଣାକୁ ନେଇ ଡାକ୍ତରଖାନା ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏସପି ସିଟି ଅମିତ କୁମାର ଆନନ୍ଦ କହିଛନ୍ତି ଯେ ହସ୍ପିଟାଲର ସିସିଟିଭି କ୍ୟାମେରା ଦେଖିବା ପରେ ଷଷ୍ଠ ମହଲା ଘରୋଇ ୱାର୍ଡର ଝରକା ପାଖରୁ ଡେଇଁପଡିଥିବାରୁ ରାଜେଶଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।