ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଭାରତ ବିଶ୍ୱର ସବୁଠାରୁ ଅଧିକ ପ୍ରଭାବିତ ଦେଶ ମଧ୍ୟରୁ ଅନ୍ୟତମ। ସରକାରୀ ଆକଳନ ଅନୁଯାୟୀ ଦେଶରେ ପ୍ରାୟ ପାଞ୍ଚ ଲକ୍ଷ ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ପ୍ରାୟ ୧.୫ ଲକ୍ଷ ଲୋକ ମୃତ୍ୟୁ ବରଣ କରନ୍ତି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକୁ ନେଇ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି।
ଦୁର୍ଘଟଣାକୁ ରୋକିବା ପାଇଁ ୬ଟି ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିବା ସହିତ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ସ୍ୱଦେଶୀ ସୁରକ୍ଷା ମାନକ ଭାରତ ଏନକ୍ୟାପ୍ ଘୋଷଣା କରିଛନ୍ତି। ତେବେ କାର କମ୍ପାନିଗୁଡିକ ସରକାରଙ୍କ ଏହି ପଦକ୍ଷେପକୁ ସକରାତ୍ମକ ଢ଼ଙ୍ଗରେ ଗ୍ରହଣ କରୁନଥିବା ଦେଖାଯାଇଛି। ଦେଶର ବୃହତ୍ତମ କାର କମ୍ପାନି ମାରୁତି ସୁଜୁକି ପୁଣି ଥରେ ଦୋହରାଇଛି ଯେ ଯଦି ୬ ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରାଯାଏ ତେବେ କମ୍ପାନି ଛୋଟ କାର ତିଆରି କରିବା ବନ୍ଦ କରିଦେବ।
କମ୍ପାନିର ଚେୟାରମ୍ୟାନ୍ ଆରସି ଭାର୍ଗବ କହିଛନ୍ତି ଯେ ସରକାରଙ୍କ ନୀତି ଆମର ଛୋଟ କାର ଉପରେ ପ୍ରଭାବ ପକାଉଛି। ଏଭଳି ପରିସ୍ଥିତିରେ କମ୍ପାନି ଅଲଟୋ, ଏସପ୍ରେସୋ, ସ୍ବିପ୍ଟ ଭଳି ଛୋଟ କାର ମାର୍କେଟକୁ ଆଣିବା ବନ୍ଦ କରିବାକୁ ଦ୍ୱିଧା କରିବ ନାହିଁ। କାରଣ ପ୍ରତ୍ୟେକ କାରରେ ୬ଟି ଏୟାରବ୍ୟାଗ ନିୟମ ହେତୁ ମାରୁତିର ଶସ୍ତା କାର ସାଧାରଣ ଲୋକଙ୍କ ବଜେଟ୍ ବାହାରକୁ ଚାଲିଯିବ। ଏଭଳି ପରିସ୍ଥିତିରେ କମ୍ପାନି ଛୋଟ କାରକୁ ବନ୍ଦ କରିବାକୁ ବିଚାର କରିବ।
ଆରସି ଭାର୍ଗବ ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି ଯେ ୬ଟି ଏୟାରବ୍ୟାଗ ନିୟମ ଲାଗୁ କରିବା ପାଇଁ ପରିବହନ ମନ୍ତ୍ରୀ ନିତିନ ଗଡଗରୀଙ୍କ ନିଷ୍ପତ୍ତି ଛୋଟ କାରର ମୂଲ୍ୟ ବୃଦ୍ଧି କରିବ, କିନ୍ତୁ ଏହା ସଡ଼କ ଦୁର୍ଘଟଣାର ମୁକାବିଲା କରିବାରେ ସହାୟକ ହେବ ନାହିଁ। ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ସରକାରଙ୍କୁ ଆଉ କିଛି ଚିନ୍ତା କରିବାକୁ ପଡିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ସ-219.jpg)