ଯୋଗୀଙ୍କ ବୁଲ୍‌ଡୋଜର୍ କାର୍ଯ୍ୟାନୁଷ୍ଠାନକୁ ଅୱେସୀଙ୍କ ନିନ୍ଦା: ‘ଯୋଗୀ ନିଜକୁ ମୁଖ୍ୟ ବିଚାରପତି ଭାବୁଛନ୍ତି’

କଚ୍ଛ: ଏଆଇଏମ୍‌ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅୱେସୀ ରବିବାର ପ୍ରୟାଗରାଜ ହିଂସା ଅଭିଯୁକ୍ତଙ୍କ ବିରୋଧରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଛନ୍ତି। ଗୁଜରାଟର କଚ୍ଛଠାରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ଅୱେସୀ କହିଛନ୍ତି, ଯୋଗୀ ନିଜକୁ ଆଲ୍ଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ବୋଲି ଭାବୁଛନ୍ତି। ସେ ଯାହାକୁ ଇଚ୍ଛା ଦୋଷୀ ସାବ୍ୟସ୍ତ କରିପାରିବେ ଏବଂ ତାଙ୍କ ଘର ଭାଙ୍ଗିଦେଇପାରିବେ!

ପ୍ରୟାଗରାଜଠାରେ ପ୍ରଫେଟ୍ ମନ୍ତବ୍ୟକୁ ନେଇ ଜୁନ୍ ୧୦ ତାରିଖରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜାଭେଦ ମହମ୍ମଦ ଓରଫ ପମ୍ପ, ଯାହାଙ୍କ ଘରକୁ ପ୍ରୟାଗରାଜ ଉନ୍ନୟନ ପ୍ରାଧିକରଣ (ପିଡିଏ) ପକ୍ଷରୁ ରବିବାର ବୁଲ୍‌ଡୋଜର୍ ଲଗାଇ ବ୍ୟାପକ ପୁଲିସ ଉପସ୍ଥିତିରେ ଉଚ୍ଛେଦ କରାଯାଇଥିଲା। ଅଭିଯୁକ୍ତ ଜଣକ ହେଉଛନ୍ତି ୱେଲ୍‌ଫେୟାର୍ ପାର୍ଟି ଅଫ୍ ଇଣ୍ଡିଆର ଜଣେ ନେତା ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ଆଫ୍ରିନ ଫାତିମାଙ୍କ ବାପା। ମିସ୍ ଫାତିମା କେନ୍ଦ୍ର ସରକାରଙ୍କ ବିବାଦୀୟ ନାଗରିକତା ଆଇନକୁ ବିରୋଧ କରି ପୂର୍ବରୁ ହୋଇଥିବା ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ଏହି ହିଂସାରେ ତାଙ୍କର ଭୂମିକାକୁ ନେଇ ମଧ୍ୟ ପୁଲିସ ଅନୁସନ୍ଧାନ କରୁଛି। ପୁଲିସ କହିଛି ଯେ, ଅଭିଯୁକ୍ତ ତାଙ୍କ ଘରେ ବେଆଇନ ଅସ୍ତ୍ରଶସ୍ତ୍ର ଓ ଆପତ୍ତିଜନକ ପୋଷ୍ଟରମାନ ରଖିଥିଲେ। ଘର ଭଙ୍ଗାଯିବା ପୂର୍ବରୁ ରବିବାର ସକାଳେ ତାଙ୍କ ଘର ତଲାସି କରାଯାଇଥିଲା। ଏହି ତଲାସି ବେଳେ ଏକ ୧୨ ବୋର୍ ବେଆଇନ ପିସ୍ତଲ, ଏକ ୩୧୫ ବୋର୍ ପିସ୍ତଲ, ଗୁଳିଗୋଳା ଏବଂ ମାନ୍ୟବର କୋର୍ଟଙ୍କ ବିରୋଧରେ କିଛି ଆପତ୍ତିଜନକ ମନ୍ତବ୍ୟ ଲେଖାଥିବା ଦସ୍ତାବିଜ୍‌ ମିଳିଥିଲା ବୋଲି ପ୍ରୟାଗରାଜର ବରିଷ୍ଠ ପୁଲିସ ଅଧୀକ୍ଷକ ଅଜୟ କୁମାର କହିଛନ୍ତି।

ଜାଭେଦଙ୍କୁ ପୁଲିସ ହିଂସା ମାମଲାରେ ଗିରଫ କରି ଜେରା କରିଥିଲା। ତାଙ୍କର ତଳ ଓ ପ୍ରଥମ ମହଲାରେ ବେଆଇନ ନିର୍ମାଣ ହୋଇଥିବା ନେଇ ଏକ ନୋଟିସ ଦିଆଯିବାର କେଇଘଣ୍ଟା ପରେ ତାଙ୍କ ଘର ଭାଙ୍ଗିଦିଆଯାଇଥିଲା। ନୋଟିସରେ ଦାବି କରାଯାଇଥିଲା ଯେ, ମେ ମାସରେ ତାଙ୍କୁ ଘର ଭଙ୍ଗାଯିବା ନେଇ ନୋଟିସ ଦିଆଯାଇଥିଲା, ଯାହାର ସେ ଉତ୍ତର ଦେଇନାହାନ୍ତି। ନୋଟିସରେ ଜୁନ ୯ ସୁଦ୍ଧା ବେଆଇନ ନିର୍ମାଣ ଭାଙ୍ଗ, ନ ହେଲେ ଜୁନ ୧୨ ତାରିଖ ଦିନ ୧୧ଟା ସୁଦ୍ଧା ଘର ଖାଲି କର ବୋଲି ଲେଖା ଥିଲା। ତେବେ ଜାଭେଦଙ୍କ ଓକିଲ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଦେଇଥିବା ଚିଠିରେ ତାଙ୍କୁ ପୂର୍ବରୁ କୌଣସି ନୋଟିସ ମିଳି ନ ଥିବା ଦାବି କରିଛନ୍ତି। ସେ କହିଛନ୍ତି, ଘର ତାଙ୍କ ମହକିଲ ଜାଭେଦଙ୍କ ନାଁରେ ନ ଥିଲା, ତାହା ଥିଲା ତାଙ୍କ ସ୍ତ୍ରୀଙ୍କ ନାଁରେ ଯାହାଙ୍କୁ କୌଣସି ନୋଟିସ ମିଳିନାହିଁ।

ସମ୍ବନ୍ଧିତ ଖବର