ନୂଆଦିଲ୍ଲୀ: ଲୋକସଭା ଓ ରାଜ୍ୟସଭାରୁ ୧୪୧ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯିବା ଘଟଣାକୁ ନେଇ ଏଆଇଏମଆଇଏମ୍ ସାଂସଦ ଅସଦୁଦ୍ଦିନ ଓଓ୍ବୈସି ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନିଲମ୍ବନ ପ୍ରତ୍ୟାହାର କରାଯାଉ ବୋଲି ସେ ଦାବି କରିଛନ୍ତି। ସଂସଦ ବିଜେପିର ଚିନ୍ତନ ବୈଠକ ଭଳି ଚାଲିପାରିବ ନାହିଁ ବୋଲି ସେ କହିଛନ୍ତି।
“୧୪୧ ଜଣ ବିରୋଧୀ ସାଂସଦଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି। ଯଦି ହଠାତ୍ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଏ କିମ୍ବା ବହିଷ୍କାର କରାଯାଏ, ତେବେ ଗଣତନ୍ତ୍ରରେ କ'ଣ ବାକି ରହିଲା? ସଂସଦରେ ବିପୁଳ ସଂଖ୍ୟାଗରିଷ୍ଠତା ଥିବା ସତ୍ତ୍ୱେ ବିରୋଧୀଙ୍କ ସ୍ୱର ପ୍ରତି ବିଜେପି ଏତେ ଅସହିଷ୍ଣୁ କାହିଁକି? ସଂସଦ ବିଜେପିର ଚିନ୍ତନ ବୈଠକ ଭଳି ଚାଲିପାରିବ ନାହିଁ ” ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସେ ଲେଖିଛନ୍ତି ।
141 opposition MPs have been suspended from Parliament. What is left of democracy if opposition MPs are suspended or expelled at the drop of a hat? BJP has a brute majority in Parliament, why is it still so intolerant of opposition voices? Parliament cannot be conducted like a…
— Asaduddin Owaisi (@asadowaisi) December 19, 2023
ସୂଚନାଯୋଗ୍ୟଯେ, ଲୋକସଭାରେ ହଙ୍ଗାମା କରିବା ଅଭିଯୋଗରେ ମଙ୍ଗଳବାର ୪୯ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ସୋମବାର ଲୋକସଭାର ୩୩ ଓ ରାଜ୍ୟସଭାର ୪୫ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଗତ ଡିସେମ୍ବର ୧୪ ତାରିଖରେ ଲୋକସଭାର ୧୩ ଜଣ ଓ ରାଜ୍ୟସଭାର ଜଣେ ସାଂସଦଙ୍କୁ ଚଳିତ ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଡିସେମ୍ବର ୧୩ ରେ ସଂସଦରେ ହୋଇଥିବା ସୁରକ୍ଷା ଉଲ୍ଲଂଘନ କୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ ଦାବି କରୁଛନ୍ତି ବିରୋଧୀ ଦଳ ।