ନୂଆଦିଲ୍ଲୀ: ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମହଙ୍ଗା ସ୍ଥିତି ଏବଂ ବେକାରୀ ବୃଦ୍ଧି ପାଇଁ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ମୋଦୀ ସରକାରଙ୍କୁ ଭିନ୍ନ ଢଙ୍ଗରେ ଟାର୍ଗେଟ କରିଛନ୍ତି। ମୋଦୀ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ବୃଦ୍ଧି ପାଇଁ ମୋଦୀ ଦାୟୀ ନୁହଁନ୍ତି ବରଂ ମୋଗଲମାନେ ଦାୟୀ। ବାସ୍ତବରେ ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମନ୍ (ଏଆଇଏମ୍ଆଇଏମ୍) ର ଅଧ୍ୟକ୍ଷ ଓୱେସି ଅନେକ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି କ୍ରମରେ ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି। ସେହି ଭିଡିଓରେ ଓୱେସି କେନ୍ଦ୍ର ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, 'ଯଦି ଭାରତର ଯୁବକମାନେ ବେକାର ଅଛନ୍ତି, ସାମଗ୍ରୀ ଦର ଆକାଶଛୁଆଁ ହେଉଛି, ଡିଜେଲ ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ହୋଇଛି, ତେବେ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନୁହଁନ୍ତି, ଆଉରଙ୍ଗଜେବ ଏଥିପାଇଁ ଦାୟୀ' |

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆମ ଦେଶର ପିଲାମାନଙ୍କ ପାଖରେ ଚାକିରି ନାହିଁ, ତେବେ ସରକାର ଏଥିପାଇଁ ଦାୟୀ ନୁହଁନ୍ତି। ଯଦି ପେଟ୍ରୋଲର ମୂଲ୍ୟ ୧୦୪ ଟଙ୍କା ହୋଇଛି ତେବେ ତାଜମହଲ ଏଥିପାଇଁ ଦାୟୀ | ଯଦି ତାଜମହଲ ନଥାନ୍ତା ତେବେ ପେଟ୍ରୋଲର ମୂଲ୍ୟ ଆଜି ୪୦ ଟଙ୍କା ହୋଇଥାନ୍ତା। ଓୱେସି କଟାକ୍ଷ ଢଙ୍ଗରେ କହିଛନ୍ତି ଯେ ମୋର ବିଶ୍ୱାସ ଯେ, 'ମୋଗଲମାନେ ତାଜମହଲ, ଲାଲକିଲ୍ଲା ନିର୍ମାଣ କରି ଭୁଲ କରିଛନ୍ତି। ସେହି ଟଙ୍କା ସେମାନେ ସଞ୍ଚୟ କରି ରଖିବାର ଥିଲା' |


ସେ ପ୍ରଶ୍ନ କରିଛନ୍ତି ଯେ ଭାରତରେ କେବଳ ମୋଗଲ ସରକାର ଥିଲା କି? ମୋଗଲଙ୍କ ପୂର୍ବରୁ ଅଶୋକ, ଚନ୍ଦ୍ରଗୁପ୍ତ ମଧ୍ୟ ଦେଶ ଶାସନ କରିଥିଲେ, କିନ୍ତୁ ବିଜେପି ସବୁକିଛି ପାଇଁ ମୋଗଲମାନଙ୍କୁ ଦାୟୀ କରିଛି | ତାଙ୍କ ଆଖିକୁ କେବଳ ମୋଗଲମାନେ ହିଁ ଦେଖାଯାନ୍ତି | ଓୱେସି କହିଛନ୍ତି ଯେ ବିଜେପି ଗୋଟିଏ ଆଖିରେ ମୋଗଲ ଏବଂ ଅନ୍ୟ ଆଖିରେ ପାକିସ୍ତାନକୁ ଦେଖୁଛି। କିନ୍ତୁ ମୋଗଲ କିମ୍ବା ପାକିସ୍ତାନ ସହ ଆମର କୌଣସି ସମ୍ପର୍କ ନାହିଁ। ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟାକୁ କିଭଳି ସମାଧାନ କରାଯାଇପାରିବ ସେଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି |