ଘନେଇଲା ରହସ୍ୟ : ମୁକେଶ ଅମ୍ବାନିଙ୍କ ଘର ନିକଟରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ଏସୟୁଭିର ମାଲିକ ମୃତ, ଆତ୍ମହତ୍ୟା ସଂଦେହ

ମୁମ୍ବାଇ : ଶିଳ୍ପପତି ମୁକେଶ ଅମ୍ବାନିଙ୍କ ଘର ଆଗରେ ଏକ ଏସୟୁଭିରେ ବିସ୍ଫୋରକ ରଖାଯିବା ଘଟଣା ଆହୁରି ରହସ୍ୟଘେରକୁ ଚାଲିଯାଇଛି । ଏହି ଏସୟୁଭି (ମହିନ୍ଦ୍ର ସ୍କରପିଓ)ର ମାଲିକ ମନସୁଖ ହିରେନଙ୍କ ମୃତଦେହ ଆଜି ଜବତ ହୋଇଛି ।

ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ସେ ମୁମ୍ବାଇ ଉପକଣ୍ଠରେ ଥିବା କାଲଓ୍ବା ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ପୁଲିସ ସଂଦେହ କରୁଛି । କିନ୍ତୁ ତଦନ୍ତର ଅନ୍ୟ ଦିଗଗୁଡ଼ିକ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି ।

ଗତ ଫେବ୍ରୁଆରି ୨୫ତାରିଖରେ ମୁମ୍ବାଇସ୍ଥିତ ମୁକେଶ ଅମ୍ବାନିଙ୍କ ଘର ଆଣ୍ଟିଲିଆ ବାହାରେ ଏକ ମହିନ୍ଦ୍ରା ସ୍କରପିଓ ଛିଡ଼ା ହୋଇଥିବା ଦେଖାଯାଇଥିଲା । ପୁଲିସ ଆସି ଯାଞ୍ଚ କରିବା ପରେ ସେଥିରୁ ବିସ୍ଫୋରକ ଓ ଏକ ଧମକପୂର୍ଣ୍ଣ ପତ୍ର ରହିଥିଲା । ସେଥିରେ ଲେଖାଥିଲା ଇଏ ତ ଗୋଟାଏ ଟ୍ରେଲ୍‌ର୍‌। ‘ନୀତା ଭାଉଜ ଓ ମୁକେଶ ଭାଇ ପରିବାର’, ଇଏ ତ ଝଲକ ମାତ୍ର । ଆର ଥରକୁ ଏ ସାମଗ୍ରୀ ବିକଶିତ ହୋଇ ଆପଣଙ୍କ ପାଖକୁ ଆସିବ। ସେଥିପାଇଁ ପୂରା ବନ୍ଦୋବସ୍ତ ସରିଛି ।

ପରେ ପୁଲିସ ଏହି ଘଟଣାର ତଦନ୍ତ କରୁଥିବାବେଳେ ସ୍କର୍ପିଓଟି ହିରେନଙ୍କ ନାଁରେ ଥିବା ଜାଣିବାକୁ ପାଇଥିଲା ।

 

ସମ୍ବନ୍ଧିତ ଖବର