ପ୍ୟାରିସ : କରୋନା ମହାମାରୀ ଯୋଗୁଁ ବିଶ୍ୱ ଅର୍ଥନୀତି ୧୯୩୦ ଦଶକରେ ଘଟିଥିବା ବୃହତ୍ ମାନ୍ଦାବସ୍ଥା ପରି ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଛି ବୋଲି ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ଚେତାଇ ଦେଇଛନ୍ତି ।
ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ସଂସ୍ଥା ଅକ୍ସଫାମର ଅଟକଳ ଅନୁସାରେ କରୋନା ମହାମାରୀ ଯୋଗୁଁ ୧୯୯୦ ପରେ ପ୍ରଥମ ଥର ପାଇଁ ବିଶ୍ୱରେ ଦାରିଦ୍ର୍ୟ ବୃଦ୍ଧି ପାଇବ । ପ୍ରାୟ ୫୦ କୋଟିରୁ ୯୨ କୋଟି ପର୍ଯ୍ୟନ୍ତ ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଖସିଆସିବେ । ଲକ୍ଷ ଲକ୍ଷ ଲୋକ ବେକାର ହୋଇଯିବେ । ଏପରିକି କେତେକ ଦେଶ ପୁଣି ଥରେ ଗରିବ ହୋଇଯିବେ । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଅତି ଗୁରୁତର ପରିସ୍ଥିତି ଉପୁଜିଲେ ବିଶ୍ୱର ପ୍ରାୟ ୯୨ କୋଟି ଲୋକ ଗରିବ ଓ ଅନାହାରର ସମ୍ମୁଖୀନ ହୋଇପାରନ୍ତି । ଦିନକୁ ମାତ୍ର ସାଢେ ୫ ଡଲାରରେ ବଞ୍ଚୁଥିବା ଲୋକମାନଙ୍କ ସଂଖ୍ୟା ପ୍ରାୟ ୪ ଶହ କୋଟିକୁ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏପରିସ୍ଥିତିରେ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ । କାରଣ ଅଧିକାଂଶ କ୍ଷେତ୍ରରେ ମହିଳାମାନେ ଅସଂଗଠିତ କ୍ଷେତ୍ରରେ କାମ କରନ୍ତି । ଏହି ସଂକଟର ମୁକାବିଲା କରିବା ପାଇଁ ବିଶ୍ୱର ସବୁଦେଶ ଏକାଠି ହେବା ଆବଶ୍ୟକ ବୋଲି ଅକ୍ସଫାମ୍ କହିଛି ।
ଆଇଏମଏଫ ପକ୍ଷରୁ ମଧ୍ୟ କିଛିଦିନ ତଳେ ଏଭଳି ଏକ ପୂର୍ବାନୁମାନ କରାଯାଇଥିଲା ।