ପ୍ରତି ମିନିଟରେ ୧୧ ଜଣଙ୍କ ଜୀବନ ନେଉଛି ଅନାହାର : ଅକ୍ସଫାମ ରିପୋର୍ଟ

ନୂଆଦିଲ୍ଲୀ : କରୋନା ଭୁତାଣୁ ଏବେ ସମଗ୍ର ବିଶ୍ବକୁ କବଳିତ କରି ରଖିଛି । ଗତ ପ୍ରାୟ ଦେଢ ବର୍ଷ ହେଲା କରୋନା ମହାମାରୀ ବିଶ୍ବରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି । କିନ୍ତୁ ଏହି ମହାମାରୀଠାରୁ ଆହୁରି ଏକ ଭୟଙ୍କର ମହାମାରୀ ବିରୋଧରେ ମନୁଷ୍ୟର ଲଢେଇ ଜାରି ରହିଛି । ତାହା ହେଉଛି ‘କ୍ଷୁଧା’ । କ୍ଷୁଧା ଓ ଦୁର୍ଭିକ୍ଷରେ ଯେତିକି ଲୋକ ମୃତ୍ୟୁବରଣ କରୁଛନ୍ତି ତାହା କରୋନା ମୃତ୍ୟୁଠାରୁ ଅନେକଗୁଣ ଅଧିକ ବୋଲି ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ସଂଗଠନ ଅକ୍ସଫାମ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।

ଅକ୍ସଫାମ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିଶ୍ବରେ ପ୍ରତି ମିନିଟରେ ୧୧ ଜଣ ବ୍ୟକ୍ତି ଅନାହାରରେ ପ୍ରାଣ ହରାଉଛନ୍ତି । ଯେବେକି କରୋନା ମହାମାରୀ ମିନିଟକୁ ୭ ଜଣଙ୍କର ଜୀବନ ନେଉଛି ।
ଆହୁରି ଚିନ୍ତାଜନକ କଥା ହେଉଛି ଗତ ବର୍ଷଠାରୁ ଏପର୍ଯ୍ୟନ୍ତ ବିଶ୍ବରେ ଅନାହାର ମୃତ୍ୟୁସଂଖ୍ୟାରେ ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି ।

ଅକ୍ସଫାମ ଆମେରିକାର ଅଧ୍ୟକ୍ଷ ତଥା ସିଇଓ ଆବି ମାକ୍ସମ୍ୟାନ କହିଛନ୍ତି ଏହି ସଂଖ୍ୟା ବେଶ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି । ବିଶ୍ବର ଏବେ ପ୍ରାୟ ୧୫ କୋଟି ଲୋକ ଖାଦ୍ୟ ଅସୁରକ୍ଷାର ସମ୍ମୁଖୀନ ହେଉଛନ୍ତି । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୨ କୋଟି ବୃଦ୍ଧି ପାଇଛି । ସାମରିକ ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, କରୋନା ମହାମାରୀ ଆଦି କାରଣରୁ ବିଶ୍ବରେ ଅନେକ ଲୋକ ଅନାହାରର ସମ୍ମୁଖୀନ ହେଉଛନ୍ତି ।

ସମ୍ବନ୍ଧିତ ଖବର