ଅକ୍ସଫାମ ରିପୋର୍ଟ ଖୋଲିଲା ଭାରତର ଅସଲ ଚେହେରା : ଦେଶରେ ଧନୀ ହାତରେ ଧନ, ଗରିବ ହାତ ଖାଲି

ନୂଆଦିଲ୍ଲୀ : ହାୱାଇ ଚପଲ ପିନ୍ଧୁଥିବା ଲୋକ, ହାୱାଇ ଜାହାଜରେ ଉଡ଼ିପାରିବାର ସ୍ୱପ୍ନ ସତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି ମନ୍ତବ୍ୟ ଉପରେ ପାଣି ପକାଇ ଦେଇଛି ଅକ୍ସଫାମର ରିପୋର୍ଟ । ଅକ୍ସଫାମର ରିପୋର୍ଟ କହୁଛି ଭାରତରେ ଧନୀ ଓ ଗରିବଙ୍କ ମଧ୍ୟରେ ଦିନକୁ ଦିନ ତାରତମ୍ୟ ବୃଦ୍ଧି ପାଉଛି । ଅସମାନତା ହ୍ରାସ ପାଇଁ ସରକାରଙ୍କ ପ୍ରତିବଦ୍ଧତା ନାହିଁ । ୧୫୭ଟି ଦେଶ ମଧ୍ୟରେ ଭାରତର ସ୍ଥାନ ରହିଛି ୧୪୭ । ଗତବର୍ଷ ତୁଳନାରେ ଆହୁରି ତଳକୁ ଖସିଛି ଭାରତ। ସ୍ୱାସ୍ଥ୍ୟ ଓ ଶିକ୍ଷାରେ ତଳିତଳାନ୍ତ ହେଉଛନ୍ତି ଗରିବ ଲୋକ ।

ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅକ୍ସଫାମ ଯେଉଁ ରିପୋର୍ଟ ପ୍ରକାଶ କରିଛି, ତାହା ସମସ୍ତଙ୍କୁ ଚମକାଇ ଦେବା ଭଳି । ଭାରତରେ ଧନୀ-ଗରିବଙ୍କ ମଧ୍ୟରେ ବଢୁଛି ସାଂଘାତିକ ତାରତମ୍ୟ । ଧନୀ, ଧନ ବଢ଼ାଇ ଚାଲିଛି । ଗରିବ, ଦିନକୁ ଦିନ ଅଧିକ ଗରିବ ହେଉଛି । ସିଆରଆଇ ବା କମିଟମେଣ୍ଟ ଟୁ ରୁଡ୍ୟୁସ ଇନଇକ୍ୱାଲିଟି ଇଣ୍ଡେକ୍ସରେ ଭାରତ ଗତବର୍ଷ ତୁଳନାରେ ୧୫ ତମ ସ୍ଥାନ ଖସିଆସିଛି । ୧୫୭ଟି ଦେଶରେ ଭାରତର ସ୍ଥାନ ୧୪୭ । ଅର୍ଥାତ୍ ଅସମାନତା ହ୍ରାସ ପାଇଁ ସରକାରଙ୍କ ପ୍ରତିବଦ୍ଧତା ନାହିଁ ।

ନଜର ପକାନ୍ତୁ ଅକ୍ସଫାମ ସର୍ଭେ ଅନୁସାରେ ଦରିଦ୍ରତା ବୃଦ୍ଧିର କାରଣ :
• ଔଷଧର ଦାମ ଅଧିକ ହେବାରୁ ଲୋକେ ଦରିଦ୍ର ସୀମାରେଖା ତଳେ
• ଆୟ ତୁଳନାରେ ସ୍ୱାସ୍ଥ୍ୟ ପାଇଁ ଅଧିକ ୮୦% ଖର୍ଚ୍ଚ
• ପ୍ରାୟ ୬ କୋଟି ଲୋକ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରି ଦରିଦ୍ର
• ଆର୍ଥିକ ଓ ଲିଙ୍ଗଗତ ବିଭେଦ, ଗୁଣାତ୍ମକ ଶିକ୍ଷାର ଅଭାବ, ଘରୋଇ ଶିକ୍ଷାର ଅତ୍ୟଧିକ ପ୍ରସାର
• ଶ୍ରମ କ୍ଷେତ୍ରରେ ମହିଳା ଅବହେଳିତ

ରିପୋର୍ଟ କହୁଛି ଅସମାନତା ପଛରେ ସରକାରୀ ଉଦାସୀନତା?
• କର୍ପୋରେଟ କର ରିହାତି ଯୋଗୁଁ ରାଜସ୍ୱ ହରାଉଛନ୍ତି ଭାରତ ସରକାର
• ସାମାଜିକ କ୍ଷେତ୍ରରେ ମୋର୍ଟ ଖର୍ଚ୍ଚର ୯୨% ରାଜସ୍ୱ କମିଛି
• ଭାରତରେ ଜିଡିପି ଟ୍ୟାକ୍ସ ଅନୁପାତ ମାତ୍ର ୧୭%
• କାଗଜପତ୍ରରେ ଟିକସ ଢାଂଚା ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ ହେଉନାହିଁ
• ଧନୀବ୍ୟକ୍ତି ଓ କମ୍ପାନୀ ଠିକ ଭାବେ କର ପୈଠ କରୁନାହାଁନ୍ତି
• ନିମ୍ନ ଆୟକାରୀ ଦେଶ ଭାବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଖର୍ଚ୍ଚ।

ଅକ୍ସଫାମ ଅନୁସାରେ କେମିତି କମିବ ତାରତମ୍ୟ?
• କର୍ପୋରେଟ ଟ୍ୟାକ୍ସକୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରରେ ବିନିଯୋଗ
• ଏକ ତୃତୀୟାଂଶ ଅସମାନତା କମିଲେ ୧୭କୋଟି ଲୋକ ଉପକୃତ ହେବେ
• ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରୀ ଖର୍ଚ୍ଚ ଅଟକଳ ବୃଦ୍ଧିର ଆବଶ୍ୟକତା
• ପ୍ରଗତିଶୀଳ କରନୀତି ଅସମାନତା ଦୂର କରିବା ସହ ଦାରିଦ୍ର୍ୟ କମାଇବ
• ଶ୍ରମ ଅଧିକାର, ସାମାଜିକ ଖର୍ଚ୍ଚ ଓ ଉନ୍ନତମାନର କର ବ୍ୟବସ୍ଥା ଆବଶ୍ୟକ।

ବିକାଶ ପାଇଁ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି, ତାହା ସାଧାରଣ ଲୋକଙ୍କ ପାଇଁ ଲାଭ ଦାୟକ ହେଉନି । ଅକ୍ସଫାମ ରିପୋର୍ଟ କହୁଛି, ବଡ଼ କଂପାନୀର ସିଇଓ ବର୍ଷକୁ ଯେତିକି ରୋଜଗାର କରିଥାନ୍ତି, ସେତିକି ରୋଜଗାର କରିବାକୁ ହେଲେ ଜଣେ ଶ୍ରମିକଙ୍କୁ ଲାଗିଯିବ ୯୪୧ ବର୍ଷ । ଅର୍ଥାତ ତାଙ୍କୁ ୧୦ ଥରରୁ ଅଧିକ ଥର ଜନ୍ମ ନେବାକୁ ପଡିବ ।

ସମ୍ବନ୍ଧିତ ଖବର