ଆସନ୍ତାକାଲିଠାରୁ ଭାରତରେ ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଭାରତରେ ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ କୋଭିଡ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ପୁଣେ ସ୍ଥିତ ସାଶୁନ ଜେନେରାଲ ହସ୍ପିଟାଲରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହି ମାନବ ପରୀକ୍ଷଣ ଆରମ୍ଭ କରିବ ବୋଲି ଜଣାପଡିଛି । ଏ ନେଇ ସୂଚନା ଦେଇଛନ୍ତି ଏହି ସରକାରୀ ହସ୍ପିଟାଲର ଡାକ୍ତର ମୁରଲିଧର ତାମ୍ବେ । ସେ କହିଛନ୍ତି, ଆସନ୍ତା ସପ୍ତାହରୁ ଶାସୁନ ହସ୍ପିଟାଲରେ କୋଭିସିଲ୍ଡ ଟିକାର ମାନବ ପରୀକ୍ଷଣ ଆରମ୍ଭ ହେବ । ସୋମବାରରୁ ଏହା ଆରମ୍ଭ ହେବା ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାୟ ୧୫୦ରୁ ୨୦୦ ଜଣଙ୍କ ଦେହରେ ଏହି ଟିକା ପରୀକ୍ଷଣ କରାଯିବ ବୋଲି ଡାକ୍ତର ତାମ୍ବେ କହିଛନ୍ତି । ଟିକା ନେବାକୁ ଆଗ୍ରହୀ ଥିବା ସ୍ୱେଚ୍ଛାସେବୀଙ୍କ ତାଲିକା ପ୍ରସ୍ତୁତ ଆରମ୍ଭ ହୋଇ ସାରିଛି । ପୂର୍ବରୁ ସହରର ଅନ୍ୟ ଦୁଇ ହସ୍ପିଟାଲରେ ଏହି କୋଭିସିଲ୍ଡ ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିଲା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହାୟତାରେ ଆଷ୍ଟ୍ରା ଜେନିକା ଦ୍ୱାରା ଏହି କୋଭିସିଲ୍ଡ ପ୍ରସ୍ତୁତ କରାଯାଉଛି ଏବଂ ଭାରତରେ ଏହାର ପ୍ରସ୍ତୁତି ଓ ପରୀକ୍ଷଣ କରୁଛି ସେରମ ଇନଷ୍ଟିଚ୍ୟୁଟ୍ ।
ପୂର୍ବରୁ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଏହାର ପରୀକ୍ଷଣକୁ ସ୍ଥଗିତ ରଖିଥିଲା । କାରଣ ବ୍ରିଟେନରେ ଜଣେ ସ୍ୱେଚ୍ଛାସେବୀଙ୍କ ଦେହରେ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା । ଫଳରେ ଏହାର ପରୀକ୍ଷଣକୁ ସେଠାରେ ଆଷ୍ଟ୍ରା ଜେନିକା ସ୍ଥଗିତ ରଖିଥିଲା । ଅନ୍ୟପଟେ ଏନେଇ ସେରମ ଇନଷ୍ଟିଚ୍ୟୁଟକୁ ଡିସିଜିଆଇ ନୋଟିସ ଜାରି କରିଥିଲେ । ଫଳରେ ଏହାର ପରୀକ୍ଷଣ ଭାରତରେ ମଧ୍ୟ ସ୍ଥଗିତ ରହିଥିଲା । ପରବର୍ତ୍ତୀ ସମୟରେ ଗତ ୧୫ ତାରିଖରେ ଡିସିଜିଆଇ ଏହି ପରୀକ୍ଷଣ ଜାରି ରଖଥିବାକୁ ଅନୁମତି ଦେଇଥିଲେ । ଫଳରେ ଆସନ୍ତା ସୋମବାରରୁ ଅକ୍ସଫୋର୍ଡ ଟିକାର ମାନବ ପରୀକ୍ଷଣ ଆରମ୍ଭ ହେବା ସମ୍ଭାବନା ସୃଷ୍ଟି ହୋଇଛି ।