ମାଙ୍କଡ଼ଙ୍କ ଦେହରେ ଅକ୍ସଫୋର୍ଡର କୋଭିଡ୍-୧୯ ଟିକା ପ୍ରୟୋଗ ‘ଆଂଶିକ ସଫଳ’ ସାବ୍ୟସ୍ତ ହୋଇଛି

ନୂଆଦିଲ୍ଲୀ: ଛଅଟି ମାଙ୍କଡ଼ଙ୍କ ଦେହରେ ପ୍ରୟୋଗ କରାଯାଇଥିବା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ବାରା ପ୍ରସ୍ତୁତ କରୋନାଭାଇରସ୍ କୋଭିଡ୍-୧୯ ଟିକା ‘ରକ୍ଷାକାରୀ’ ସାବ୍ୟସ୍ତ ହୋଇଥିବା କଥା ଗୁରୁବାର ଦିନ ଆମେରିକା ଓ ବ୍ରିଟିସ୍ ଗବେଷକମାନେ କହିଛନ୍ତି। ଗତ ମାସରେ ଏହି ଟିକା ମାନବ ଶରୀରରେ ମଧ୍ୟ ପରୀକ୍ଷାମୂଳକ ପ୍ରୟୋଗ କରାଯାଇଥିଲା।

ଅନ୍ୟ ବୈଜ୍ଞାନିକମାନଙ୍କ ଦ୍ବାରା ପୁଙ୍ଖାନୁପୁଙ୍ଖ ସମୀକ୍ଷା ହୋଇ ନ ଥିବା ଏହି ପରୀକ୍ଷଣର ଫଳାଫଳ ଗୁରୁବାର ଦିନ ‘ବାୟୋରିକ୍ସିଭ୍’ରେ ପ୍ରକାଶ ପାଇଛି।

ଅକ୍ସଫୋର୍ଡ ଭ୍ୟାକ୍‌ସିନ୍ ଗ୍ରୁପ୍ ଏବଂ ଜେନିର୍ ଇନ୍‌ଷ୍ଟିଚ୍ୟୁଟ୍‌ର ଗବେଷଣାକାରୀଙ୍କ ସହ ମିଶି ଏହି  ପରୀକ୍ଷାନିରୀକ୍ଷା କରିଛନ୍ତି ବୋଲି ବ୍ରିଟିସ୍ ‌ଔଷଧ ନିର୍ମାତା ଆଷ୍ଟ୍ରାଜେନିକା ଗତ ମାସରେ ଘୋଷଣା କରିଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ଏହି ଟିକାରୁ ଗୋଟିଏ ଡୋଜ୍ ନେଇଥିବା କେତେକ ମାଙ୍କଡ଼ମାନଙ୍କ ଶରୀରରେ ୧୪ ଦିନ ମଧ୍ୟରେ ଭୂତାଣୁ ବିରୋଧରେ ରୋଗପ୍ରତିରୋଧକ ଉପାଦାନ ବିକଶିତ ହୋଇଥିଲା। ପୁଣି ଥରେ ଏହି ଭୂତାଣୁର ହାଇ ଡୋଜ୍ ଟିକା ନେବାର ୨୮ ଦିନ ପୂର୍ବରୁ ସମସ୍ତ ମାଙ୍କଡ଼ଙ୍କ ଦେହରେ ରକ୍ଷାକାରୀ ଇମ୍ୟୁନୋଗ୍ଲୋବିନ୍ ସୃଷ୍ଟି ହୋଇସାରିଥିଲା।

Image Source: Newshub

ଟିକା ନେଇଥିବା ମାଙ୍କଡ଼ମାନଙ୍କୁ ପରେ ଭୂତାଣୁ ସଂସ୍ପର୍ଶରେ ଅଣାଯିବାରୁ ଦେଖାଗଲା ଯେ ସେମାନଙ୍କର ଫୁସ୍‌ଫୁସ୍‌ କ୍ଷୟ ବନ୍ଦ ହେଉଛି। ଫୁସ୍‌ଫୁସ୍‌ରେ ଭୂତାଣୁ ବଂଶ ବିସ୍ତାର କରିପାରୁ ନାହିଁ। କିନ୍ତୁ, ମାଙ୍କଡ଼ମାନଙ୍କ ନାକରେ ଭୂତାଣୁ ବଂଶ ବିସ୍ତାର କରିପାରୁଛି।

ଲଣ୍ଡନ୍ ସ୍କୁଲ୍ ଅଫ୍ ହାଇଜିନ୍ ଆଣ୍ଡ୍ ‌ଟ୍ରପିକାଲ୍ ମେଡିସିନ୍‌ର ପ୍ରଫେସର୍ ଷ୍ଟିଫେନ୍ ଇଭାନ୍ସ କହିଛନ୍ତି ମାଙ୍କଡ଼ଙ୍କ ତଥ୍ୟ ନିଶ୍ଚୟ ସୁସମ୍ବାଦ। ଅକ୍ସଫୋର୍ଡ ଟିକା ଅନ୍ୟତମ ବଡ଼ ବାଧା ଭଲରେ ଅତିକ୍ରମ କରିଯାଇଛି।

ପରୀକ୍ଷାଗାରରେ ମାଙ୍କଡ଼ଙ୍କ ଶରୀରରେ ଫଳପ୍ରଦ ହେଉଥିବା ଅନେକ ଟିକା ମଣିଷକୁ ସୁରକ୍ଷା ଦେବାରେ ବିଫଳ ହୁଅନ୍ତି ବୋଲି ପୂର୍ବରୁ ବହୁ ଦୃଷ୍ଟାନ୍ତ ଥିବା କଥା କେତେକ ବୈଜ୍ଞାନିକ କହିଛନ୍ତି।

ସମ୍ବନ୍ଧିତ ଖବର