ଅକ୍ସେଫାର୍ଡ ୟୁନିଭର୍ସିଟିର ନୂଆ ସର୍ଭେ, ଆତଙ୍କବାଦରେ, ପାକିସ୍ତାନ ନଂ.୧
ସିରିଆଠାରୁ ୩ଗୁଣ ବିପଜ୍ଜନକ, ଅନ୍ତର୍ଜାତୀୟ ନିରାପତ୍ତା ପ୍ରତି ଆହ୍ବାନ
ନୂଆଦିଲ୍ଲୀ: ଭାରତ ସହିତ ଶାନ୍ତି କଥାବାର୍ତ୍ତା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚାପ ପକାଉଥିବା ପାକିସ୍ତାନ ପ୍ରକୃତରେ ସୁଧୁରିବାକୁ ଚାହୁନାହିଁ। ପାକିସ୍ତାନ ଶାନ୍ତିର ମାର୍ଗରେ ଚାଲିବାକୁ ଚାହୁଛି ବୋଲି ଏହାର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଯେତେ ଡିଙ୍ଗୁରା ପିଟିଲେ କ’ଣ ହେବ, ପ୍ରକୃତ ଘଟଣା ଏବେ କାହାରିକୁ ଅଛପା ହୋଇ ରହିନାହିଁ। ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଏବଂ ଆତଙ୍କବାଦୀଙ୍କୁ ନୂଆ ଟେକ୍ନୋଲୋଜି ବ୍ୟବହାର ପାଇଁ ତାଲିମ ଦେବା କ୍ଷେତ୍ରରେ ଏହା ବେଶ୍ ଆଗୁଆ ରହିଛି। ଏମିତି କି ଆତଙ୍କବାଦୀଙ୍କ ଭୂସ୍ବର୍ଗ ବୋଲାଉଥିବା ସିରିଆକୁ ମଧ୍ୟ ପାକିସ୍ତାନ ବେଶ୍ ପଛରେ ପକାଇ ଦେଇଛି। ଆତଙ୍କବାଦ କ୍ଷେତ୍ରରେ ସିରିଆଠାରୁ ପାକିସ୍ତାନ ୩ଗୁଣ ବିପଜ୍ଜନକ ହୋଇ ଏକନମ୍ବର ସ୍ଥାନରେ ରହିଛି ବୋଲି ଏକ ସଦ୍ୟତମ ରିପୋର୍ଟରୁ ଜଣାଯାଇଛି।
ଅକ୍ସଫୋର୍ଡ ୟୁନିଭର୍ସିଟି ଆଣ୍ଡ୍ ଷ୍ଟ୍ରାଟେଜିକ୍ ଫୋରସାଇଟ୍ ଗ୍ରୁପ୍ (ଏସ୍ଏଫ୍ଜି) ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟ ମୁତାବକ ମାନବଜାତି ପ୍ରତି ଅଧିକ ବିପଦ ସୃଷ୍ଟି କରିବାରେ ଆତଙ୍କବାଦୀମାନେ ସବୁଠୁ ଆଗରେ ରହିଛନ୍ତି। ଏ କ୍ଷେତ୍ରରେ ସିରିଆ ସବୁେବଳେ ଆଗରେ ରହିଆସୁଥିବା ବେଳେ ବର୍ତ୍ତମାନ ପାକିସ୍ତାନ ସିରିଆକୁ ଅତିକ୍ରମ କରିଯାଇଛି। ରିପୋର୍ଟ ଦର୍ଶାଇଛି ଯେ ଆତଙ୍କବାଦୀଙ୍କ ସଂଖ୍ୟା, ସେମାନଙ୍କ ଘାଟି, ନିରାପଦ ସ୍ଥାନ କଥା ଦେଖିଲେ ଏ ସବୁ କ୍ଷେତ୍ରରେ ପାକିସ୍ତାନ ସର୍ବାଗ୍ରେ ରହିଛି। ଏହି ଦେଶରେ ଆତଙ୍କବାଦୀ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ସୀମା ଇଲାକାରେ ଏମାନଙ୍କ ଘାଟି ସଂଖ୍ୟା ମଧ୍ୟ ସେହି ମୁତାବକ ବଢ଼ିବାେର ଲାଗିଛି। ପାକ୍ରେ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ଘଟିବା ଯୋଗୁ ଭାରତ ଅଧିକ ମାତ୍ରାରେ ପ୍ରଭାବିତ ହେଉଛି। ଖାଲି ସେତିକି ନୁହେଁ, ପାକିସ୍ତାନର ଏଭଳି ନିକୃଷ୍ଟ କାର୍ଯ୍ୟ ଯୋଗୁ ଅନ୍ତର୍ଜାତୀୟ ନିରାପତ୍ତା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ପାକିସ୍ତାନରେ ଅଧିକ ଆତଙ୍କବାଦୀ ରହିଥିବା ବେଳେ ଅନେକ ପାକ୍ ଆତଙ୍କବାଦୀ ଆଫଗାନିସ୍ତାନରେ ରହି ନିୟମିତ ଭାବେ ଆକ୍ରମଣ ଘଟାଇ ଲୋକଙ୍କ ଜୀବନ ନେଉଛନ୍ତି। ଅଧ୍ୟୟନରୁ ଆହୁରି ଜାଣିବାକୁ ମିଳିଛି ଯେ ବିଶ୍ବ ସମୁଦାୟ ପାଇଁ ଆଫଗାନ୍ ତାଲିବାନ୍, ଲସ୍କର-ଏ-ତଇବା ଆତଙ୍କୀ ସଂଗଠନ ସବୁଠୁ ଅଧିକ ବିପଜ୍ଜନକ ହୋଇଛି। ଏହି ଆତଙ୍କବାଦୀ ସଂଗଠନର ବିପୁଳ ସଂଖ୍ୟକ ସଦସ୍ୟ ପାକିସ୍ତାନରେ ରହିଛନ୍ତି। ‘ହ୍ୟୁମାନିଟି ଆଟ୍ ରିସ୍କ- ଗ୍ଲୋବ୍ ଟେରର୍ ଥ୍ରେଟ୍ ଇଣ୍ଡିକ୍ୟାଣ୍ଟ୍ (ଜିଟିଟିଆଇ)’ ଶୀର୍ଷକ ଏହି ରିପୋର୍ଟ ମୁତାବକ ଅନ୍ତର୍ଜାତୀୟ ଆତଙ୍କବାଦ ସୃଷ୍ଟି କରିବା ଏବଂ ଆତଙ୍କବାଦୀଙ୍କୁ ସମର୍ଥନ ଦେବା କ୍ଷେତ୍ରରେ ପାକିସ୍ତାନ ସବୁଠୁ ଆଗରେ ରହିଛି। ତେଣୁ ଆତଙ୍କବାଦ କ୍ଷେତ୍ରରେ ସିରିଆ ଠାରୁ ଏବେ ପାକିସ୍ତାନ ୩ଗୁଣ ଅଧିକ କ୍ଷତିକାରକ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଆଫଗାନିସ୍ତାନରେ ଥିବା ଆତଙ୍କବାଦୀମାନଙ୍କୁ ପାକିସ୍ତାନ ହିଁ ସମର୍ଥନ ଦେଉଛି। ସେମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେଉଛି। ବିଶ୍ବରେ ସକ୍ରିୟ ଥିବା ପ୍ରାୟ ୨୦୦ ଆତଙ୍କୀ ସଂଗଠନର କାର୍ଯ୍ୟକଳାପକୁ ବିଶ୍ଳେଷଣ କରି ଏସ୍ଏଫ୍ଜି ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଦର୍ଶାଇଛି ଯେ ଏହି ଆତଙ୍କବାଦୀ ସଂଗଠନ ମଧ୍ୟରେ ଇସ୍ଲାମିକ୍ ଷ୍ଟେଟ୍ ଗତ ୫ ବର୍ଷ ମଧ୍ୟରେ ସକ୍ରିୟ ରହି ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଛି। କିନ୍ତୁ ଧୀରେ ଧୀରେ ଉପରକୁ ଉଠିଥିବା ଅଲ୍-କାଏଦା ଗୋଷ୍ଠୀ କ୍ଷତିକାରକ େହାଇ ତୁଳନାତ୍ମକ ଭାବେ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଛି। ୨୦୧୧ ପର୍ଯ୍ୟନ୍ତ ଓସାମା ବିନ୍ ଲାଦେନ୍ ଏହାକୁ ପରିଚାଳନା କରୁଥିଲା। କିନ୍ତୁ ତା’କୁ ହତ୍ୟା କରାଯିବା ପରେ ତା’ର ପୁଅ ହମ୍ଜା ଏବେ ଏହାର ଦେଖାଶୁଣା କରୁଛି।