ଲଣ୍ଡନ : ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏହାର ଛାତ୍ରୀ ଓ ପ୍ରଫେସରଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କକୁ ନିଷିଦ୍ଧ ଘୋଷଣା କରିଛି। ନୂଆ ନିୟମ ଆସନ୍ତା ଏପ୍ରିଲ ୧୭ ତାରିଖରୁ ଲାଗୁ ହେବ ବୋଲି ବିବିସି ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ବିଶ୍ବବିଦ୍ୟାଳୟ ଏହାର କର୍ମଚାରୀ ଓ ଶିକ୍ଷକମାନଙ୍କୁ ଜଣାଇଦେଇଛି ଯେ ସେମାନେ କୌଣସି ଛାତ୍ରଛାତ୍ରୀଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ରଖିପାରିବେ ନାହିଁ, ଯାହା ‘ପ୍ରଫେସନାଲ କଣ୍ଡକ୍ଟ’ (ବୃତ୍ତିଗତ ବ୍ୟବହାର) ପରିସରଭୁକ୍ତ ନୁହେଁ। ଯେ କେହି ଏହାର ବିରୁଦ୍ଧାଚରଣ କରିବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପୂର୍ବରୁ ଏଭଳି ସମ୍ପର୍କକୁ ଅନୁମତି ଥିଲା। ଅକସଫୋର୍ଡ ବିଶ୍ବବିଦ୍ୟାଳୟର ‘ଇଟ୍ ହାପ୍ନ୍ସ’ ନାମକ ଏକ ଅନୈତିକ ଯୌନ ସମ୍ପର୍କ-ବିରୋଧୀ ଛାତ୍ର ସଂଗଠନର ଦାବିକ୍ରମେ ବିଶ୍ବବିଦ୍ୟାଳୟ ପକ୍ଷରୁ ଉପରୋକ୍ତ ନୂଆ ନିୟମ ପ୍ରଣୟନ କରାଯାଇଛି। ଅନ୍ୟ ଶିକ୍ଷାନୁଷ୍ଠାନ ଯଥା ୟୁନିଭର୍ସିଟି କଲେଜ ଲଣ୍ଡନ ଓ ୟୁନିଭର୍ସିଟି ଅଫ୍ ନଟିଂହାମରେ ମଧ୍ୟ ଅନୁରୂପ ନିୟମ ରହିଛି।