ଲଣ୍ଡନ: ଅକ୍ସଫୋଡ୍ ବିଶ୍ବବିଦ୍ୟାଳୟର ଜେନର ଇନଷ୍ଟିଚ୍ୟୁଟ୍ ଓ ବ୍ରିଟିସ କମ୍ପାନି ଆଷ୍ଟ୍ରାଜେନେକାର ମିଳିତ ସହଯୋଗରେ ବିକଶିତ ହେଉଥିବା କରୋନା ଟିକାର ପରୀକ୍ଷଣ ପୁଣି ଥରେ ଆରମ୍ଭ ହୋଇଛି। ବ୍ରିଟେନର ଔଷଧ ଓ ସ୍ବାସ୍ଥ୍ୟ ନିୟାମକ ସଂସ୍ଥା ମେଡିସିନ୍ସ ହେଲ୍ଥ ରେଗୁଲେଟୋରି ଅଥରିଟି (ଏମଏଚଆରଏ) ପକ୍ଷରୁ ଏଥିପାଇଁ ଅନୁମତି ଦିଆଯିବା ପରେ ଏଜେଡ୍ଡି୧୨୨୨ କରୋନା ଟିକାର ପୁନଃ ପରୀକ୍ଷଣ ଆରମ୍ଭ କରାଯାଇଛି। ଏହି ଟିକାର ନୈଦାନିକ ପରୀକ୍ଷଣ ନିରାପଦ ବୋଲି ଏମଏଚଆରଏ ସ୍ପଷ୍ଟ କରିଥିବା ବିଷୟ କମ୍ପାନି କହିଛି।
ଗତ ବୁଧବାର ଆଷ୍ଟ୍ରାଜେନେକା ଟିକାର ନୈଦାନିକ ପରୀକ୍ଷଣକୁ ସାମୟିକ ସମୟ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଘୋଷଣା କରାଯାଇଥିଲା। ଲଣ୍ଡନରେ ପରୀକ୍ଷଣ ବେଳେ ଜଣେ ସ୍ବେଚ୍ଛସେବୀ ଅସୁସ୍ଥା ହୋଇ ପଡ଼ିବାରୁ ଟିକା ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା। କମ୍ପାନି ସ୍ବେଚ୍ଛାକୃତ ଭାବେ ଏହାକୁ ସ୍ଥଗିତ ରଖିଥିବା ଘୋଷଣା କରିଥିଲା। ଏହା ପରେ ଉକ୍ତ ଟିକାର ସୁରକ୍ଷା ସମୀକ୍ଷା କରିବା ପାଇଁ ବ୍ରିଟେନରେ ଏକ ସ୍ବାଧୀନ କମିଟି ଗଠନ କରାଯାଇଥିଲା। ତେବେ ଉକ୍ତ କମିଟି ଏହାର ଅନୁଧ୍ୟାନ ଇତିମଧ୍ୟରେ ଶେଷ କରି ଏମଏଚଆରଏକୁ ଟିକାର ପରୀକ୍ଷଣ ଆରମ୍ଭ ନିରାପଦ ବୋଲି ସୁପାରିସ କରିଛି। ଏହାପରେ ଉକ୍ତ ଟିକାର ପରୀକ୍ଷଣ ପୁଣି ଥରେ ଆରମ୍ଭ ହୋଇଯାଇଛି। ପରୀକ୍ଷଣରେ ଭାଗ ନେଇଥିବା ସ୍ବେଚ୍ଛସେବୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପ୍ରତି କମ୍ପାନି ପ୍ରତିଶ୍ରୁତିବଦ୍ଧ ରହିଛି। ଏଥିସହିତ ନୈଦାନିକ ପରୀକ୍ଷଣରେ କମ୍ପାନି ସର୍ବୋତ୍କୃଷ୍ଟ ମାନଦଣ୍ଡକୁ ପାଳନ କରୁଛି। ବିଶ୍ବର ବିଭିନ୍ନ ଦେଶର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହିତ ମିଶି କମ୍ପାନି କାର୍ଯ୍ୟ ଜାରି ରଖିବ ବୋଲି ଆଷ୍ଟ୍ରାଜେନେକା କହିଛି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା କମ୍ପାନି ପକ୍ଷରୁ ପରୀକ୍ଷଣ କରାଯାଉଥିବା ଏହି ଟିକାର ପରୀକ୍ଷଣ ଭାରତରେ ପୁନେର ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ପକ୍ଷରୁ କରାଯାଉଥିଲା। ତେବେ ଭାରତରେ କେହି ଅସୁସ୍ଥ ହୋଇ ନଥିବାରୁ ଏହାକୁ ବନ୍ଦ କରାଯିବ ନାହିଁ ବୋଲି କମ୍ପାନିର ସିଇଓ ଆଦର ପୁନାୱାଲା ପ୍ରଥମେ କହିଥିଲେ। କିନ୍ତୁ ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ କମ୍ପାନିକୁ ଏକ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲା। ଏହାପରେ କମ୍ପାନି ଏହାର କୋଭିସିଲଡ୍ ଟିକାର ପରୀକ୍ଷଣକୁ ସ୍ଥଗିତ ରଖିବ ବୋଲି କହିଥିଲା। େତବେ ଡିସିଜିଆଇ ଅନୁମତି ମିଳିଲେ ଆମେ ଭାରତରେ ପରୀକ୍ଷା ପୁଣିଥରେ ଆରମ୍ଭ କରିବୁ ବୋଲି ସିରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆଜି କୁହାଯାଇଛି।
ନୁଆଦିଲ୍ଲୀ: ଆଇସିଏମ୍ଆର୍ ଏବଂ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ୍ ଦ୍ବାରା ନିଜସ୍ବ ଜ୍ଞାନକୌଶଳରେ ବିକଶିତ ଦେଶର ପ୍ରଥମ କୋଭିଡ୍ ଟିକା ମାଙ୍କଡ଼ମାନଙ୍କ ଠାରେ ପ୍ରଥମ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଅତ୍ୟନ୍ତ ଫଳପ୍ରଦ ରହିଥିବା ଜଣାଯାଇଛି। ସମ୍ପ୍ରତି ଦେଶର ୧୨ଟି ପ୍ରତିଷ୍ଠାନରେ ମାଙ୍କଡ଼ମାନଙ୍କ ଠାରେ ପ୍ରୟୋଗ କରାଯାଇଥିବା କୋଭାକ୍ସିନ ନାମକ ଏହି ଟିକା ନିରାପଦ ପ୍ରଭାବଶୀଳତା ଓ ରୋଗପ୍ରତିରୋଧକତା ପ୍ରଦର୍ଶନ କରିପାରିଛି। ଚାରି ଦଳରେ ବିଭକ୍ତ କୋଡ଼ିଏଟି ପାତି ମାଙ୍କଡ଼(ରିଜସ୍ ମାକାକ୍ସ)ଙ୍କୁ ଦୁଇ ଥାକରେ ଦିଆଯାଇଥିବା ଏହି ଟିକାରୁ ଏପରି ଫଳାଫଳ ମିଳିପାରିଛି। ଟିକା ନେଇଥିବା ସମସ୍ତ ମାଙ୍କଡ଼ଙ୍କୁ କରୋନା ଭୂତାଣୁ ସଂସ୍ପର୍ଶରେ ଅଣାଯାଇ ଫଳାଫଳ ଅନୁଧ୍ୟାନ କରାଯାଇଥିଲା। ତେବେ ପ୍ରଥମ ମାତ୍ରା ନେଇଥିବା ମାଙ୍କଡ଼ମାନଙ୍କ ଠାରେ ତାହା ସୁରକ୍ଷିତ ପ୍ରଭାବଶୀଳତା ଦେଖାଇ ଆଣ୍ଟିବଡିଗୁଡ଼ିକୁ ନିରପେକ୍ଷ କରାଇବା ସହ ସେମାନଙ୍କ ନାସା ଗହ୍ବର ଓ ଫୁସଫୁସରେ କରୋନା ଭୂତାଣୁର ବଂଶବୃଦ୍ଧିକୁ ମଧ୍ୟ ରୋକିପାରିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, କୌଣସି କ୍ଷେତ୍ରରେ ବି ନିମୋନିଆ ପରି ବିଲକ୍ଷଣ ଦେଖାଯାଇନାହିଁ। ସେହିପରି ଏହାର ୧୪ ଦିନ ପରେ ଦ୍ବିତୀୟ ମାତ୍ରା ନେଇଥିବା ମାଙ୍କଡ଼ମାନେ କୌଣସି ପ୍ରକାର ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଦେଖାଇନାହାନ୍ତି। ମୋଟାମୋଟି ଭାବେ ଏହି କୋଭାକ୍ସିନ୍ ଟିକା ଯଥେଷ୍ଟ ରୋଗପ୍ରତିରୋଧକ ପ୍ରତିକ୍ରିୟା ପ୍ରଦର୍ଶନ ପୂର୍ବକ ସେମାନଙ୍କ ଠାରେ କରୋନା ଭୂତାଣୁର ସଂକ୍ରମଣ ଏବଂ ରୋଗକୁ ମଧ୍ୟ ରୋକିପାରିଛି ବୋଲି ଜଣେ ଗବେଷକ କହିଛନ୍ତି।