ଅକ୍ସଫୋର୍ଡ ଟିକାର ପରୀକ୍ଷଣ ବନ୍ଦ, ଭାରତରେ ପରୀକ୍ଷା ଚାଲୁ ରହିବ:କମ୍ପାନି

ଲଣ୍ଡନ/ପୁଣେ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ତଥା ଭେଷଜ କମ୍ପାନି ଆଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ ଏକ କୋଭିଡ୍‌ ଟିକାର ଚୂଡ଼ାନ୍ତ ନୈଦାନିକ ପରୀକ୍ଷଣକୁ ଅଧାରୁ ସ୍ଥଗିତ ରଖାଯାଇଛି। ଜଣେ ସ୍ବେଚ୍ଛାସେବୀଙ୍କ ଠାରେ ଏଜେଡ୍‌ଡି୧୨୨୨ ବା ସିଏଚ୍‌ଏଡିଓଏକ୍ସ୧ ନାମକ ଉକ୍ତ ଟିକାର ସନ୍ଦିଗ୍ଧ ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହେବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ତେବେ ବର୍ତ୍ତମାନ ଉକ୍ତ ସ୍ବେଚ୍ଛାସେବୀଙ୍କ ଠାରେ ଦେଖାଦେଇଥିବା ଅବର୍ଣ୍ଣନୀୟ ଅସୁସ୍ଥତା ପରିପ୍ରେକ୍ଷୀରେ ଟିକାର ନିରାପତ୍ତା ସମ୍ପର୍କରେ ଏକ ନିରପେକ୍ଷ ବିଶେଷଜ୍ଞ କମିଟି ଦ୍ବାରା ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଉଛି। ଏହାର ସମ୍ଭାବ୍ୟ ପ୍ରତିକାର ସମାଧାନ ମିଳିଗଲା ପରେ ପୁଣି ଥରେ ପରୀକ୍ଷଣ ଜାରି ରହିବ ବୋଲି କମ୍ପାନିର ମୁଖପାତ୍ରୀ ମାଇକେଲ ମିକ୍ସେଲ କହିଛନ୍ତି।

ଅପରପକ୍ଷେ, ଭାରତରେ କୋଭିସିଲ୍‌ଡ ନାମରେ ଉକ୍ତ ଟିକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରଖିଥିବା ପୁଣେସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏଥିରେ ବିବ୍ରତ ନଥିବା କହିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ନୈଦାନିକ ପରୀକ୍ଷଣରେ ସାମିଲ ହୋଇଥିବା ସ୍ବେଚ୍ଛାସେବୀଙ୍କ ଠାରେ କୌଣସି ପ୍ରକାର ପ୍ରତିକୂଳ ପ୍ରତିକ୍ରିୟା ଦେଖାଦେଇନଥିବାରୁ ଏଠାରେ ପୂର୍ବବତ୍‌ ପରୀକ୍ଷଣ ଜାରି ରହିବ ବୋଲି କମ୍ପାନିର ସିଇଓ ଆଦର ପୁନେଵାଲା କହିଛନ୍ତି। ଅପରପକ୍ଷେ, ଲଣ୍ଡନର ସ୍ବେଚ୍ଛାସେବୀଙ୍କ ଠାରେ ଦେଖାଦେଇଥିବା ପ୍ରତିକୂଳ ପ୍ରତିକ୍ରିୟା ସିଧାସଳଖ ଭାବେ ଟିକା ସହ ଜଡ଼ିତ ନୁହେଁ ବୋଲି ସେ କହିଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କର ଆଗରୁ ସ୍ନାୟବିକ ସମସ୍ୟା ରହିଥିବା ସେ ସୂଚନା ଦେଇଛନ୍ତି। କୌଣସି ଟିକାର ମାନବୀୟ ପରୀକ୍ଷଣ ସମୟରେ ବେଳେ ବେଳେ ଏଭଳି ଅଘଟଣ ଦେଖାଦେବା ସ୍ବାଭାବିକ ଏବଂ ନୈଦାନିକ ପରୀକ୍ଷଣର ଅଂଶବିଶେଷ ବୋଲି ସେ କହିଛନ୍ତି। ତେବେ ବିଦେଶରେ ଟିକାର ପରୀକ୍ଷଣ ସ୍ଥଗିତ ରଖାଯିବା ପରେ ଡିସିଜିଆଇ ପକ୍ଷରୁ ସିରମ ଇନଷ୍ଟିଚ୍ୟୁଟକୁ ଡିସିଜିଆଇ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ରୋଗୀଙ୍କ ସୁରକ୍ଷା ନିଶ୍ଚିତ ନହେବା ପର୍ଯ୍ୟନ୍ତ ଭାରତରେ ଟିକାର ପରୀକ୍ଷଣ ଅନୁମତିକୁ କାହିଁକି ସ୍ଥଗିତ ରଖାନଯିବ ବୋଲି ଡିସିଜିଆଇ ମୁଖ୍ୟ ଡା. ଭି ଜି ସୋମାନି ନୋଟିସରେ ପଚାରିଛନ୍ତି।

ସମ୍ବନ୍ଧିତ ଖବର