ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀକୁମାର ଚୌବେ ଆଜି ସିଙ୍ଗାପୁରର ଟେମାସେକ୍ ଫାଉଣ୍ଡେସନଠାରୁ ପ୍ରଥମ ଦଫାରେ ୪୪୭୫ଟି ଅକ୍ସିଜେନ କନ୍ସେନ୍ଟ୍ରେଟର ଗ୍ରହଣ କରିଛନ୍ତି । ଏହି ପ୍ରତିଷ୍ଠାନ ଏଭଳି ୨୦ ହଜାର କନ୍ସେନ୍ଟ୍ରେଟର ଭାରତକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି । ଅବଶିଷ୍ଟ ଅକ୍ସିଜେନ କନ୍ସେନ୍ଟ୍ରେଟର ଆସନ୍ତା ଅଗଷ୍ଟ ମାସରେ ଭାରତ ଆସିବ। ମଧ୍ୟମ ଧରଣର କୋଭିଡ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସାରେ ଏହା ବ୍ୟବହୃତ ହୋଇଥାଏ ବୋଲି ଜଣା ପଡିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ କୋଭିଡ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବେ ।
ଟେମାସେକ୍ ଫାଉଣ୍ଡେସନକୁ ଏହି ମହତ୍ ଦାନ ପାଇଁ କୃତଜ୍ଞତା ଜ୍ଞାପନ କରିବା ଅବସରରେ ଚୌବେ କହିଛନ୍ତି ଯେ, ଏହି ଅକ୍ସିଜେନ କନ୍ସେନ୍ଟ୍ରେଟର ଭାରତରେ କୋଭିଡ ଚିକିତ୍ସା କ୍ଷେତ୍ରରେ ବିଶେଷ ସହାୟକ ହେବ । ଉପଯୁକ୍ତ ସମୟରେ ଏହି ସହାୟତା ଟେମାସେକ୍ ଫାଉଣ୍ଡେସନ ଯୋଗାଇ ଦେଇଛି । ଖୁବ୍ କମ୍ ସମୟରେ ଏସବୁ ସାମଗ୍ରୀ ଭାରତକୁ ଆଣିବାରେ ଆବଶ୍ୟକ ସାହାଯ୍ୟ ସହଯୋଗ କରିଥିବାରୁ ସେ ମଧ୍ୟ ଭାରତୀୟ ରେଡକ୍ରସ ସୋସାଇଟିକୁ ଧନ୍ୟବାଦ ଜଣାଇଛନ୍ତି । ଏହି ସମସ୍ତ କାର୍ଯ୍ୟ ଟାଟା ଟ୍ରଷ୍ଟ ଉଦ୍ୟମରେ କରାଯାଇଥିବାରୁ ମନ୍ତ୍ରୀ ମଧ୍ୟ ଏହି ଟ୍ରଷ୍ଟର ଭୂମିକାକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ କୋଭିଡ-୧୯ର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ଦାନ ଓ ସହାୟତା ଦେଉଛନ୍ତି ତାହା ବେଶ ମହତ କାର୍ଯ୍ୟ । ବିଶେଷକରି ରକ୍ତ, ପ୍ଳାଜାମା ଏବଂ ସାମଗ୍ରୀ ଆକାରରେ ଯେଉଁମାନେ ଦାନ ଦେଉଛନ୍ତି ମୁଁ ସେମାନଙ୍କୁ ଗଭୀର କୃତଜ୍ଞତା ଜଣାଉଛି ।
ଅକ୍ସିଜେନ କନ୍ସେନ୍ଟ୍ରେଟରର ଆବ୍ୟଶକତା ସଂପର୍କରେ ମତାମତ ଦେଇ ସେ କହିଛନ୍ତି ଯେ, ଅମ୍ଳଜାନ ବ୍ୟବସ୍ଥା ଥିବା ଏହା ଏକ ଚିକିତ୍ସା ଉପକରଣ । ମଧ୍ୟମ ଧରଣର ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଏହା ବିଶେଷ ଉପଯୋଗୀ ହୋଇଥାଏ । ଯେଉଁମାନଙ୍କର ଅକ୍ସିଜେନ ଆବଶ୍ୟକତା ଅଧିକ ସମୟ ଦରକାର ପଡେ ସେମାନଙ୍କ ପାଇଁ ଏହା ବିଶେଷ ଦରକାରୀ । ଏହି ଯନ୍ତ୍ରଟି ବାୟୁମଣ୍ଡଳର ସାଧାରଣ ବାୟୁକୁ ଚିକିତ୍ସା ଉପଯୋଗୀ ଅମ୍ଲଜାନରେ ପରିଣତ କରିଥାଏ । ଏଥିରେ ୯୦ରୁ ୯୫ଭାଗ ଅମ୍ଳଜାନ ଥାଏ । ଏହି ମେସିନ ଆକାରରେ ଛୋଟ ଏବଂ ବ୍ୟବହାର କରିବାକୁ ସହଜ । ତେଣୁ ବଡ ଅମ୍ଳଜାନ ମେସିନ ଏବଂ ସିଲିଣ୍ଡର ରିଫିଲ୍ର ଆବଶ୍ୟକତା ପଡେ ନାହିଁ । ଯେଉଁଠି ରୋଗୀମାନଙ୍କୁ ଚିକିତ୍ସା କରାଯାଉଛି ସେହି ୱାର୍ଡରେ ଏହି ମେସିନକୁ ରଖି ବ୍ୟବହାର କରିହେବ । ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ କୋଚ୍କୁ କୋଭିଡ ୱାର୍ଡରେ ପରିଣତ କରାଯାଇ ଯେଉଁ ସୁବିଧା ଯୋଗାଇ ଦିଆଯାଇଛି ସେଥିରେ ମଧ୍ୟ ଏହି ମେସିନକୁ ସହଜରେ ବ୍ୟବହାର କରିହେବ । ସର୍ବୋପରି ଦୂରଦୂରାନ୍ତ ଅଞ୍ଚଳ, ଯେଉଁଠିକୁ ଗମନାଗମନର ସୁବିଧା ନାହିଁ ବା ଯନ୍ତ୍ରପାତି ନେବାକୁ କଷ୍ଟ, ସେ କ୍ଷେତ୍ରରେ ଏହି ମେସିନକୁ ସହଜରେ ନେଇ ବ୍ୟବହାର କରିହେବ ।