ଡେଲ୍‌ଟା ପାଇଁ ୨୯ ରାଷ୍ଟ୍ରରେ ଅକ୍ସିଜେନ୍‌ ସଙ୍କଟ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଡେଲ୍‌ଟା ପ୍ରଜାତି ପାଇଁ ଏବେ ବିଶ୍ବବ୍ୟାପୀ ସଂକ୍ରମଣ କ୍ଷିପ୍ର ଗତିରେ ବଢ଼ୁଛି। ଏ ପର୍ଯ୍ୟନ୍ତ ୧୩୨ ରାଷ୍ଟ୍ରରେ ଡେଲ୍‌ଟା ସଂକ୍ରମଣ ବ୍ୟପି ସାରିଛି। ବିଶ୍ବବ୍ୟାପୀ ସଂକ୍ରମଣର ନୂଆ ଲହରକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଉଦ୍‌ବେଗ ପ୍ରକାଶ କରିଛି। ଡେଲ୍‌ଟାକୁ ନେଇ କେତେକ ରାଷ୍ଟ୍ରରେ ସ୍ଥିତି ଭୟଙ୍କର ରୂପ ନେଇଛି ଏବଂ ୨୯ଟି ରାଷ୍ଟ୍ରରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଅନେକ ରାଷ୍ଟ୍ରରେ ସ୍ବାସ୍ଥ୍ୟକର୍ମୀଙ୍କ ପାଖରେ ଜରୁରୀ ମେଡିକାଲ ଉପକରଣ ମଧ୍ୟ ନାହିଁ।

ଗତ ସପ୍ତାହରେ ବିଶ୍ବରେ ୪୦ ଲକ୍ଷ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ଅଧିକାଂଶ ରାଷ୍ଟ୍ରରେ ସଂକ୍ରମଣର ତୃତୀୟ ଓ ଚତୁର୍ଥ ଲହର ଆରମ୍ଭ ହୋଇଯାଇଛି । ଆଫ୍ରିକା କରୋନା ମୃତ୍ୟୁ ହାରରେ ୮୦ ପ୍ରତିଶତ ବୃଦ୍ଧି ହୋଇଛି ଏବଂ ଡେଲ୍‌ଟା ପ୍ରଜାତି ପାଇଁ ହିଁ ଏଭଳି ସ୍ଥିତି ଆସିଥିବା ବିଶେଷଜ୍ଞମାନେ କହିଛନ୍ତି। ଧନୀ ରାଷ୍ଟ୍ରମାନଙ୍କ ତୁଳନାରେ ନିମ୍ନ ଆୟବର୍ଗର ରାଷ୍ଟ୍ରମାନଙ୍କରେ କମ୍‌ ଟେଷ୍ଟିଂ ହେଉଥିବାରୁ ସମସ୍ୟା ବଢ଼ୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ୍‌ ଆଧନନ୍‌ ଗେବ୍ରିୟସେସ୍‌ କହିଛନ୍ତି। ୨୦୨୨ ସୁଦ୍ଧା ବିଶ୍ବର ୭୦ ପ୍ରତିଶତ ଲୋକଙ୍କ ଟିକାକରଣ ସମ୍ଭବ ନହେଲେ ସ୍ଥିତି ସାଂଘାତିକ ହେବ ବୋଲି ଟେଡ୍ରସ୍‌ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର