ଗୋଆ: ଅକ୍ସିଜେନ ସଂକଟ ପାଇଁ ୪ ଦିନରେ ଗଲାଣି ୭୪ ଜୀବନ

ସବୁଠୁ ବଡ଼ ମେଡିକାଲ ସ୍ଥିତି ଦୟନୀୟ, ଶୁକ୍ରବାର ସକାଳେ ୧୩ ଜଣଙ୍କ ମୃତ୍ୟୁ

ପାନାଜି : ଗୋଆର ସବୁଠୁ ବଡ଼ ମେଡିକାଲରେ ଅକ୍ସିଜେନ ସଂକଟ ଦେଖାଦେଇଛି। ଏହି କାରଣରୁ ଗତ ୪ ଦିନ ଭିତରେ ଏଠାରେ ୭୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ସକାଳେ ୧୩ ଜଣ ରୋଗୀ ଅକ୍ସିଜେନ ଅଭାବରୁ ଆଖି ବୁଜିଛନ୍ତି। ବମ୍ବେ ହାଇକୋର୍ଟର ଗୋଆ ଖଣ୍ଡପୀଠ ଗୋଆ ସରକାରଙ୍କୁ ଅଧିକ ମୃତ୍ୟୁ ଆଶଙ୍କା ରହିଥିବା ନେଇ ସତର୍କ କରିବାର ଦିନକ ପରେ ଏହି ମୃତ୍ୟୁ ହୋଇଛି।

ଗୋଆ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ହେଉଛି ରାଜ୍ୟର ସବୁଠୁ ବଡ଼ କୋଭିଡ ଚିକିତ୍ସା କେନ୍ଦ୍ର। କିନ୍ତୁ ଏଠାରେ ଗତ ୪ ଦିନ ମଧ୍ୟରେ ଯେଉଁ ୭୪ ଜଣ ‌କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ଏବଂ ତାହା ଅକ୍ସିଜେନ ପରିବହନ ଜନିତ ଅସୁବିଧା କାରଣରୁ ହୋଇଛି। ଗୋଆର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇଙ୍କ କହିବା ଅନୁଯାୟୀ, ଶୁକ୍ରବାର ରାତି ଗୋଟାଏରୁ ଭୋର ୬ଟା ମଧ୍ୟରେ ଏହି ମୃତ୍ୟୁ ହୋଇଛି। ସେହିଭଳି ଗୁରୁବାରର ସମାନ ସମୟରେ ମଧ୍ୟ ଏଠାରେ ୧୫ ଜଣ ‌କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏଥିସହିତ ବୁଧବାର ଦିନ ୨୦ ଜଣ ଏବଂ ମଙ୍ଗଳବାର ଦିନ ୨୬ ଜଣ ରୋଗୀଙ୍କ ପ୍ରାଣ ଏଠାରେ ଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ବମ୍ବେ ହାଇକୋର୍ଟର ଗୋଆ ଖଣ୍ଡପୀଠରେ ରାଜ୍ୟ ସରକାର କହିଥିଲେ ଅକ୍ସିଜେନ ପରିବହନ ଜନିତ ଅସୁବିଧା ପାଇଁ ରୋଗୀଙ୍କ ମୃତ୍ୟୁ ହେଉଛି। ରାଜ୍ୟ ସରକାରଙ୍କ କୋଭିଡ କୁପରିଚାଳନା ମାମଲାର ଶୁଣାଣି ହାଇକୋର୍ଟ କରୁଛନ୍ତି। ଶୁଣାଣି ସମୟରେ ବିଚାରପତି ଗୋଆ ସରକାରଙ୍କୁ କହିଥିଲେ ଯେ ଅକ୍ସିଜେନ ପରିବହନ ଜନିତ ସମସ୍ୟା ପାଇଁ କୋଭିଡ ରୋଗୀଙ୍କୁ ମୃତ୍ୟୁମୁଖକୁ ଠେଲି ଦିଆଯାଇ ପାରିବ ନାହିଁ। ରାଜ୍ୟ ସରକାର ଏବଂ ହସ୍ପିଟାଲକୁ ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ରିପୋର୍ଟରେ ଅକ୍ସିଜେନ ଯୋଗାଣ, ଟ୍ୟାଙ୍କ, ସାନ୍ଦ୍ରକ ଏବଂ ଡ୍ରାଇଭର ଉପଲବ୍ଧତା ସଂପର୍କିତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଗୋଆ ହସ୍ପିଟାଲରେ ଏଭଳି ଅଘଟଣ ଘଟିବା ପରେ ଗତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଡାକ୍ତରଖାନା ପରିଦର୍ଶନ କରିଥିଲେ। ଅକ୍ସିଜେନ ଉପଲବ୍ଧତା ଏବଂ ‌ଯୋଗାଣ ସମୟ ନେଇ ସମସ୍ୟା ରହିଥାଇପାରେ ବୋଲି ଟିପ୍ପଣୀ ଦେଇଥିଲେ। କିନ୍ତୁ ରାଜ୍ୟରେ ଅକ୍ସିଜେନ ଅଭାବ ନଥିବା ସେ କହିଥିଲେ। ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରାଣେ ଗତ ମଙ୍ଗଳବାର ଅକ୍ସିଜେନ ଅଭାବ ବିଷୟକୁ ସ୍ବୀକାର କରିଥିଲେ। ହାଇକୋର୍ଟ ଏହାର ତଦନ୍ତ କରନ୍ତୁ ବୋଲି ସେ କହିଥିଲେ। ସେହିଭଳି ଗୋଆର ପ୍ରମୁଖ ସଚିବ ପି କେ ଗୋୟଲ କେନ୍ଦ୍ର ସରକାରଙ୍କୁ ଗତ ଗୁରୁବାର ଏକ ଚିଠି ଲେଖି ଗୋଆକୁ ଆବଶ୍ୟକ ପରିମାଣର ଅକ୍ସିଜେନ୍‌ ଉପଲବ୍ଧ ହୋଇନଥିବାରୁ ସମସ୍ୟା ବଢ଼ୁଥିବା ଜଣାଇଥିଲେ।

ସମ୍ବନ୍ଧିତ ଖବର