ଅକ୍ସିଜେନ୍‌ ଅଭାବ ମୃତ୍ୟୁ, କେନ୍ଦ୍ରକୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ : ଦେଶରେ ଅକ୍ସିଜେନ୍‌ ଅଭାବ ପାଇଁ ‌କୌଣସି ମୃତ୍ୟୁ ହୋଇଛି ବୋଲି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳମାନେ ରିପୋର୍ଟ କରିନାହାନ୍ତି ବୋଲି ଗତକାଲି ସଂସଦରେ କେନ୍ଦ୍ର ସରକାର ଦେଇଥିବା ମନ୍ତବ୍ୟ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ଦଳ ନେତାମାନେ ସରକାରଙ୍କ ଏହି ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ଦେଶରେ କରୋନାର ଦ୍ବିତୀୟ ଲହରରେ ଲେକାମାନେ କିଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହା ସାରା ବିଶ୍ବ ଦେଖିଛି। କିନ୍ତୁ ସରକାର କହୁଛନ୍ତି କୌଣସି ମୃତ୍ୟୁ ‌ହୋଇନାହିଁ। ବିଭିନ୍ନ ବିରୋଧୀ ଦଳର ବରିଷ୍ଠ ନେତାମାନେ ସରକାରଙ୍କ ଏହି ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ରାଜ୍ୟସଭାରେ ଲିଖିତ ଉତ୍ତର ରଖି କହିଥିଲେ, ପ୍ରତି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ର ସରକାରଙ୍କୁ ନିୟମିତ ସଂକ୍ରମଣ ଏବଂ ମୃତ୍ୟୁ ମାମଲାର ରିପୋର୍ଟ ଦେଇଥାନ୍ତି। କିନ୍ତୁ ଅକ୍ସିଜେନ୍‌ ଅଭାବ ଯୋଗୁଁ କୌଣସି ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ କୌଣସି ରାଜ୍ୟ ରିପୋର୍ଟ ଦେଇନାହାନ୍ତି।

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଅକ୍ସିଜେନ୍‌ ଅଭାବରୁ ଜାତୀୟ ରାଜଧାନୀ ଦିଲ୍ଲୀ ସାମେତ ଦେଶର ବିଭିନ୍ନ ଅଂଶରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଅକ୍ସି‌ଜେନ୍‌ ଅଭାବରୁ କୌଣସି ରୋଗୀଙ୍କ ମୃତ୍ୟୁ ହୋଇନାହିଁ ବୋଲି କହିବା ସମ୍ପୂର୍ଣ୍ଣ ମିଥ୍ୟା। ହସ୍ପିଟାଲ୍‌ଗୁଡ଼ିକ ପ୍ରତିଦିନ ହାଇକୋର୍ଟରେ ଅକ୍ସିଜେନ୍‌ ସଙ୍କଟ ପାଇଁ କାହିଁକି ଆବେଦନ କରୁଥିଲେ। ଏପରିକି ଅକ୍ସିଜେନ୍‌ ଅଭାବ ଜନିତ ମୃତ୍ୟୁ ଆକଳନ ସହ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ କ୍ଷତିପୂରଣ ଦେବାକୁ ଏକ ଅକ୍ସିଜେନ୍‌ ଅଡିଟ୍‌ କମିଟି ଗଠନ ହୋଇଥିଲା କିନ୍ତୁ ଉପରାଜ୍ୟପାଳ ଅନୀଲ ବୈଜଲ ଏହାକୁ ରଦ୍ଦ କରିଦେଇଥିଲେ । ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ମହାମାରୀ ଆଦୌ ନଥିଲା ବୋଲି କହିପାରନ୍ତି ବୋଲି ଜୈନ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, କେନ୍ଦ୍ର ସରକାର ତ୍ରୁଟି ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ଶିବସେନା ନେତା ସଂଜୟ ରାଉତ ମଧ୍ୟ ସରକାରଙ୍କୁ ଏହି ଟିପ୍ପଣୀ ପାଇଁ ସମାଲୋଚନା କରିଛନ୍ତି। ରାଉତ କହିଛନ୍ତି, ମୁଁ କ’ଣ କହିବ ଜାଣିପାରୁନି। ଯେଉଁ ପରିବାର ନିଜ ଆତ୍ମୀୟ ସ୍ବଜନଙ୍କୁ ଅକ୍ସି‌ଜେନ୍‌ ସଙ୍କଟ ପାଇଁ ହରାଇଛନ୍ତି ସେମାନଙ୍କୁ ଏକଥା ଶୁଣିଲେ କେମିତି ଲାଗିବ। ଉକ୍ତ ପରିବାର ଗଡ଼ିକ ସରକାରଙ୍କ ବିରୋଧରେ ଅଦାଲତର ଆଶ୍ରୟ ନେତା ଉଚିତ୍‌ ବୋଲି ସେ କହିଛନ୍ତି।

ଉତ୍ତରପ୍ରଦେଶରେ ଶଙ୍କର ଦୟାଲ୍‌ ନାମକ ଜଣେ ବ୍ୟକ୍ତିଙ୍କର ଅକ୍ସିଜେନ୍‌ ଅଭାବ ଯୋଗୁଁ ମୃତ୍ୟୁ ହୋଇଯାଇଥିଲା। ସେ ଉତ୍ତରପ୍ର‌ଦେଶର ସବୁଠୁ ବଡ଼ ହସ୍ପିଟାଲ୍‌ରେ କାମ କରୁଥିଲେ। କିନ୍ତୁ ତାଙ୍କୁ କରୋନା ହେବାପରେ ବିଭିନ୍ନ ହସ୍ପିଟାଲ୍‌ ନିଆଯାଇଥିଲା। କେଉଁଠି ବି ବେଡ୍‌ ମିଳିଲାନି। ଅକ୍ସିଜେନ୍‌ ଅଭାବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଦୟାଲ୍‌ଙ୍କ ପୁ୍ଅ କହିଛନ୍ତି ଏବଂ ସରକାରଙ୍କ ଏହି ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ଏଥିପାଇଁ ରାଜ୍ୟମାନଙ୍କୁ ଦାୟୀ କରିଛନ୍ତି। ମଣ୍ଡଭିୟାଙ୍କ ମତରେ ପ୍ରଧାନମନ୍ତ୍ରୀ ବାରମ୍ବାର ରାଜ୍ୟମାନଙ୍କୁ ମୃତ୍ୟୁ ପଂଜିକରଣ କରିବାକୁ କହିଛନ୍ତି। କିନ୍ତୁ ତଥ୍ୟ ଲୁଚାଇବାର କୌଣସି କାରଣ ନାହିଁ। ଏଥିପାଇଁ ରାଜ୍ୟମାନେ ଦାୟୀ। କେନ୍ଦ୍ର ପାଖରେ ରାଜ୍ୟମାନଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟ ଅଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ କରୋନାର ଦ୍ବିତୀୟ ଲହର ଶୀର୍ଷରେ ଥିବା ସମୟରେ ଦେଶରେ ହସ୍ପିଟାଲ୍‌ ବେଡ୍‌ ଏବଂ ଅକ୍ସିଜେନ୍‌ ସଙ୍କଟ ଦେଖାଦେଇଥିଲା। ଅନେକ ବିଦେଶୀ ରାଷ୍ଟ୍ର ମଧ୍ୟ ସାହାଯ୍ୟ କରିବାପାଇଁ ଆଗେଇ ଆସିଛନ୍ତି। ଗୋଆରେ ରାଜ୍ୟ ପରିଚାଳିତ ହସ୍ପିଟାଲ୍‌ରେ ଗତ ମେ’ରେ ୫ ଦିନ ମଧ୍ୟରେ ୮୦ ଜଣଙ୍କର ମୃତ୍ୟୁ ହୋଇଥିଲା। ତ୍ରିପୁରା ଏବଂ ଆନ୍ଧ୍ରପ୍ରଦେଶରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ କୋର୍ଟରେ ମଧ୍ୟ ଏହି ମାମଲାର ଶୁଣାଣି ଚାଲିଥିଲା। କିନ୍ତୁ ସରକାର ଏବେ ଫାଙ୍କି ଦେଉଛନ୍ତି।

ସମ୍ବନ୍ଧିତ ଖବର