ଲକ୍ଷଣ ନଥାଇ ବି କୋଭିଡ୍‌ ‘ଅମ୍ଳଜାନଶୂନ୍ୟତା’ ଘଟାଇପାରେ

ନୂଆଦିଲ୍ଲୀ: କୌଣସି ଲକ୍ଷଣ ପ୍ରଦର୍ଶନ ନକରି ବି ଜଣେ କୋଭିଡ୍‌ ପୀଡ଼ିତଙ୍କ ଠାରେ ହାଇପୋକ୍ସିଆ ବା ଅମ୍ଳଜାନଶୂନ୍ୟତା ପରି ଅବିଗୁଣ ଦେଖାଦେଇପାରେ ବୋଲି ବିଶେଷଜ୍ଞ ଚିକିତ୍ସକମାନେ କହିଛନ୍ତି। ଏହା ଦ୍ବାରା ଜଣେ ପୀଡ଼ିତର ରକ୍ତରେ ଅମ୍ଳଜାନ ସ୍ତର ଭୀଷଣ ମାତ୍ରାରେ କମିଯିବା ସହ ଅବସ୍ଥା ଅତି ଗୁରୁତର ହୋଇପଡ଼େ ବୋଲି ଡା. ଅମିତ ମଣ୍ଡଳ କହିଛନ୍ତି। ତାଙ୍କ କହିବାନୁସାରେ, ନିମୋନିଆ ହେଉଛି ଏକ ପ୍ରକାର ଫୁସ୍‌ଫୁସ୍‌ ଜନିତ ସଂକ୍ରମଣ ଯାହା ବିଭିନ୍ନ ପ୍ରକାର ବୀଜାଣୁ, ଜୀବାଣୁ ବା ଭୂତାଣୁ ଦ୍ବାରା ମଧ୍ୟ ସଂଘଟିତ ହୋଇଥାଏ।

ତେବେ ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍‌-୨ ଦ୍ବାରା ହେଉଥିବା ଫୁସ୍‌ଫୁସ୍‌ ସଂକ୍ରମଣକୁ କୋଭିଡ୍‌ ନିମୋନିଆ କୁହାଯାଇଥାଏ। ଆମ ରକ୍ତରେ ଅମ୍ଳଜାନ ସ୍ତର ସ୍ବାଭାବିକ ଭାବେ ୭୫ରୁ ୧୦୦ ପ୍ରତିଶତ ରହିଥିବା ବେଳେ ଜଣେ ସୁସ୍ଥ ଲୋକ ପାଇଁ ୯୫ ପ୍ରତିଶତ ସାନ୍ଦ୍ରତା ବିଚାର କରାଯାଇଥାଏ। ଏହା ତଳକୁ ଖସିଲେ ଅସ୍ବାଭାବିକ ବୋଲି ଧରିନିଆଯାଇଥାଏ। ତେବେ ଗୁରୁତର ଫୁସ୍‌ଫୁସ୍‌ ସଂକ୍ରମଣ ଥିବା ରୋଗୀଙ୍କ ଠାରେ ଏ ପ୍ରକାର ଅସ୍ବାଭାବିକ ରକ୍ତ ସାନ୍ଦ୍ରତା ଦେଖାଯାଇଥାଏ। ସେହିପରି ବେଳେବେଳେ ରକ୍ତରେ ଏହି ଅମ୍ଳଜାନ ସ୍ତର ଯଥେଷ୍ଟ କମି କମି ରୋଗୀକୁ ମୃତ୍ୟୁମୁଖରେ ପକାଇଥାଏ। ତେଣୁ ଯେଉଁ କୋଭିଡ୍‌ ରୋଗୀଙ୍କ ଠାରେ ଅମ୍ଳଜାନ ସ୍ତର ଏପରି କମିଯାଇଥାଏ, ସେମାନଙ୍କର ଡାକ୍ତରଖାନାରେ ଚିକିତ୍ସିତ ହେବା ନିହାତି ଜରୁରୀ ହୋଇପଡ଼େ। ସାଧାରଣତଃ ୬୫ ବର୍ଷରୁ ଅଧିକ ବୟସ୍କ ତଥା ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ସମସ୍ୟା ଥିବା ପୁରୁଷ ରୋଗୀ ଏବଂ ଯେଉଁମାନଙ୍କର କୌଣସି ପ୍ରତ୍ୟଙ୍ଗ ପ୍ରତ୍ୟାରୋପଣ ହୋଇଥିବ, ସେମାନଙ୍କ କ୍ଷେତ୍ରରେ ଏହି ଅମ୍ଲଜାନ ସ୍ତରକୁ ନିରନ୍ତର ନିରୀକ୍ଷଣ କରିବା ଆବଶ୍ୟକ।

ସମ୍ବନ୍ଧିତ ଖବର