ଦିଲ୍ଲୀ ଗୁରୁଦ୍ବାରାରେ ‘ଅକ୍ସିଜେନ୍‌ ଲଙ୍ଗର୍‌’

ନୂଆଦିଲ୍ଲୀ: ଦିଲ୍ଲୀରେ ଅକ୍ସିଜେନ୍‌ ସଙ୍କଟ ନେଇ ହାହାକାର ସୃଷ୍ଟି ହୋଇଛି। ହସ୍ପିଟାଲ୍‌ଗୁଡ଼ିକରେ କୋଭିଡ୍‌ ସଂକ୍ରମିତଙ୍କ ଭିଡ଼ ଯୋଗୁଁ ବେଡ଼୍‌ ନପାଇ ଅନେକ ଫେରି ଯାଇଥିବା ବେଳେ ଅକ୍ସିଜେନ ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ସହଯୋଗର ହାତ ବଢ଼ାଇଛି ଗାଜିଆବାଦରେ ଥିବା ଏକ ଗୁରୁଦ୍ବାରା । ଗୁରୁଦ୍ବାରା ପକ୍ଷରୁ ଏବେ ‘ଅକ୍ସିଜେନ୍‌ ଲଙ୍ଗର୍‌’ ଆରମ୍ଭ କରି ଲୋକଙ୍କୁ ଯୁଦ୍ଧସ୍ତରରେ ଯୋଗାଣ ଚାଲିଛି। ଗୁରୁଦ୍ବାରା ସାମ୍ନାରେ ଲାଗିଛି ଗାଡ଼ିର ଲମ୍ବା ଧାଡ଼ି। କାର୍‌, ଭ୍ୟାନ୍‌, ଅଟୋରିକ୍ସା ଧରି କୋଭିଡ୍‌ ‌ସଂକ୍ରମିତ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଅକ୍ସିଜେନ୍‌ ନେବାକୁ ପହଞ୍ଚୁଛନ୍ତି। ଶିଖ୍‌ ଏଡ୍‌ ଗ୍ରୁପ୍‌ ଖାଲସା ହେଲ୍‌ପ ଇଣ୍ଟରନ୍ୟାସନାଲ୍‌ ଅକ୍ସିଜେନ୍‌ ସିଲିଣ୍ଡର କ୍ରୟ କରି ଜରୁରୀ ଆବଶ୍ୟକ ଥିବା ରୋଗୀମାନଙ୍କୁ ବିତରଣ କରୁଛି।

ଏଥିପାଇଁ ଏକ ସ୍ବତନ୍ତ୍ର ହେଲ୍‌ପ ଲାଇନ୍‌ ମଧ୍ୟ ଖୋଲାଯାଇଛି। ଗୁରୁଦ୍ବାରା ସଭାପତି ଏବଂ ଖାଲସା ହେଲ୍‌ପ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ରୁମି କହିଛନ୍ତି, ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଥିବାରୁ ଆମେ କିଛି ସହଯୋଗ କରିବାକୁ ଇଚ୍ଛା କଲୁ। ୩୬ ଘଣ୍ଟା ଭିତରେ ପ୍ରାୟ ୭୦୦ ରୋଗୀଙ୍କ ଜୀବନ ବଞ୍ଚାଇବାରେ ସମର୍ଥ ହୋଇଛୁ ବୋଲି ରୁମି କହିଛନ୍ତି।

ସମ୍ବନ୍ଧିତ ଖବର