ଅମ୍ଳଜାନ ସ୍ତର ବୃଦ୍ଧିରୁ ଜୈବ ବିସ୍ଫୋରଣ

୪୫ କୋଟି ବର୍ଷ ତଳେ ୩ଗୁଣ ବ୍ୟାପିଥିଲା ଜୈବ ବିବିଧତା

ଓ୍ଵାସିଂଟନ: ଆଜକୁ ୪୦ କୋଟି ବର୍ଷ ତଳେ ପୃଥିବୀର ବାୟୁମଣ୍ଡଳରେ ଅମ୍ଳଜାନ ସ୍ତରରେ ଉଲ୍ଲେଖନୀୟ ବୃଦ୍ଧି ହିଁ ଜୈବ ବିସ୍ଫୋରଣ ଘଟାଇଥିଲା ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି। ମଧ୍ୟ ଓଡ଼ୋଭିସୀୟ ଯୁଗ(୪୬ କୋଟି ବର୍ଷ ତଳେ)ଠାରୁ ଏକ କୋଟି ବର୍ଷ ଭିତରେ ଅମ୍ଳଜାନର ସାନ୍ଦ୍ରତା ୮୦ ପ୍ରତିଶତ ବଢ଼ିଯିବା କାରଣରୁ ଜୈବ ବିବିଧତାରେ ପାଖାପାଖି ତିନିଗୁଣ ବୃଦ୍ଧି ହୋଇଥିଲା ବୋଲି ଆକଳନ କରାଯାଇଛି। ତେବେ ଅମ୍ଳଜାନ ସ୍ତର ବୃଦ୍ଧିର ପରୋକ୍ଷ ପ୍ରଭାବରେ ଏପରି ହୋଇଥିବା କୁହାଯାଇଛି।

ବିଶାଳ ଜୈବ ବିସ୍ଫୋରଣ ବା ଗ୍ରେଟ ଓଡ଼ୋଭିସୀୟ ବାୟୋଡାଇଭର୍ସିଫିକେସନ ଇଭେଣ୍ଟ ଉପରେ ଗବେଷଣା କରୁଥିବା ଓ୍ଵାସିଂଟନ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ କୋଲ୍‌ ଏଡ୍‌ଓ୍ଵାର୍ଡସ ଏବଂ ଓହିଓ ବିଶ୍ୱବିଦ୍ୟାଳୟର ମାଥ୍ୟୁ ସାଜ୍‌ମ୍ୟାନ୍‌ଙ୍କ କହିବାନୁସାରେ, ୪୬ କୋଟି ବର୍ଷ ତଳେ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ମାତ୍ର ୧୪ ପ୍ରତିଶତ ରହିଥିଲା। ତେବେ ତାହାର କୋଟିଏ ବର୍ଷ ପରେ ଅର୍ଥାତ୍‌ ଆଜିଠାରୁ ୪୫ କୋଟି ବର୍ଷ ପୂର୍ବ ବେଳକୁ ଅମ୍ଳଜାନର ପରିମାଣ ୨୪ ପ୍ରତିଶତ ହୋଇଯାଇଥିଲା। ସେହି ସମୟରେ ହିଁ ନାନାଦି ପ୍ରକାର ସାମୁଦ୍ରିକ ପ୍ରାଣୀଙ୍କର ଉଦ୍ଭବ ସାଙ୍ଗକୁ ବିଭିନ୍ନ ପ୍ରଜାତିର ମଧ୍ୟ ସୃଷ୍ଟି ହୋଇଥିଲା। ଏପରିକି ଭୂପୃଷ୍ଠରେ ମଧ୍ୟ ଅନୁରୂପ ପରିବର୍ତ୍ତନ ସମ୍ଭବ ହୋଇଥିଲା।

ଏଭଳିି ଅହେତୁକ ପରିବର୍ତ୍ତନ ସମ୍ପର୍କରେ ଏଡ୍‌ଓ୍ଵାର୍ଡସଙ୍କ ମତ ହେଲା, ଅମ୍ଳଜାନର ସାନ୍ଦ୍ରତା ବୃଦ୍ଧି ହେତୁ ମହାସାଗର ସବୁ ଅପେକ୍ଷାକୃତ ଶୀତଳ ହେବାକୁ ଲାଗିଥିଲେ। ଫଳସ୍ୱରୂପ ଜୀବଧାରଣ ପାଇଁ ଆବଶ୍ୟକ ପୁଷ୍ଟିସାର ଖାଦ୍ୟଯୋଗାଣ ବ୍ୟାପକ ହେବା ସାଙ୍ଗକୁ ଶିକାରୀ ଶ୍ରେଣୀ ପାଇଁ ବ୍ୟାପକ ଶୀକାର ମଧ୍ୟ ଉପଲବ୍ଧ ହୋଇଥିଲା। ସୁତରାଂ ତିଷ୍ଠି ରହିଥିବା ଜୀବଜଗତ ଏପରି ପରିବ୍ୟାପ୍ତ ହେବା ପାଇଁ ଅନୁକୂଳ ପରିବେଶ ଲାଭ କରିଥିଲା। ବାୟୁମଣ୍ଡଳର ପରିବର୍ଦ୍ଧିତ ଅମ୍ଳଜାନ ସ୍ତରରୁ ଅଗଭୀର ସମୁଦ୍ରର ଜଳରାଶି କିଛି ନିୟୁତ ବର୍ଷ ଧରି ଅମ୍ଳଜାନ ଆହରଣ କରିବାର ଫଳସ୍ୱରୂପ ଏପରି ପ୍ରାକୃତିକ ଲୀଳା ସଂଘଟିତ ହୋଇଥିଲା ବୋଲି ସାଜ୍‌ମ୍ୟାନ୍‌ ଅନୁମାନ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର