କରୋନା ଆକ୍ରାନ୍ତଙ୍କ ପାଇଁ ୨୨ ଲକ୍ଷର ଗାଡ଼ି ବିକିଦେଲେ ‘ଅକ୍ସିଜେନ ମ୍ୟାନ୍’

ମୁମ୍ବାଇ : ଭାରତରେ କୋଭିଡ୍‌ ସଂକ୍ରମଣର ଦ୍ବିତୀୟ ଲହର ଶୀର୍ଷରେ ଥିବା ସମୟରେ ଅକ୍ସିଜେନ୍‌ ସଙ୍କଟ ସାରା ଦେଶରେ ମୁଖ୍ୟ ଶିରୋନାମା ହୋଇଥିଲା। ଅନେକ ରୋଗୀ ଅକ୍ସିଜେନ୍‌ ନପାଇ ହସ୍ପିଟାଲ୍‌ରେ ଆଖି ବୁଜିଦେଇଥିବା ନଜିର ରହିଛି। କିନ୍ତୁ ଏସବୁ ମଧ୍ୟରେ ମୁମ୍ବାଇର ଜଣେ ବ୍ୟକ୍ତି ବ୍ୟକ୍ତିଗତ ସ୍ତରରେ ୮ ହଜାରରୁ ଅଧିକ ରୋଗୀଙ୍କୁ ଜରୁରୀ ସମୟରେ ଅକ୍ସିଜେନ୍‌ ଦେଇ ଜୀବନ ବଞ୍ଚା‌ଇଛନ୍ତି। ଏଥିପାଇଁ ତାଙ୍କୁ ‘ଅକ୍ସିଜେନ୍‌ ମ୍ୟାନ୍‌’ କୁହାଯାଉଛି। ମୁମ୍ବାଇର ଏହି ୩୨ ବର୍ଷୀୟ ‘ଅକ୍ସିଜେନ୍‌ ମ୍ୟାନ୍‌’ଙ୍କ ନାମ ଶାହନୱାଜ ଶେଖ୍‌। କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବାପାଇଁ ସେ ତାଙ୍କ ସିଭିଲ୍‌ କଣ୍ଟ୍ରାକ୍ଟର୍‌ ବୃତ୍ତି ଛାଡ଼ି ଦେଇଛନ୍ତି ଏବଂ ୨୨ ଲକ୍ଷ ଟଙ୍କାର କାର୍‌ ମଧ୍ୟ ବିକି ଦେଇଛନ୍ତି।

ଶାହନୱାଜ୍‌ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ଗର୍ଭବତୀ ଭଉଣୀଙ୍କୁ ଆଖି ଆଗରେ ମରିଯିବାର ଦେଖି ଖୁବ୍‌ ବିଚଳିତ ହୋଇପଡ଼ିଥିଲେ ଏବଂ ପରବର୍ତ୍ତୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ପଣ କରିଥିଲେ। ତାଙ୍କ ବନ୍ଧୁଙ୍କ ଭଉଣୀଙ୍କ ଅବସ୍ଥା ହଠାତ୍‌ ଅତି ଖରାପ୍‌ ହୋଇଯାଇଥିଲା ଏବଂ ତାଙ୍କୁ ରିକ୍ସାରେ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ତାଙ୍କୁ କୌଣସି ହସ୍ପିଟାଲ୍‌ରେ ବେଡ୍‌ ମିଳିଲାନି ଏବଂ ଏକ ହସ୍ପିଟାଲ୍‌ ସମ୍ମୁଖରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା। ଏଭଳି ଏକ ହୃଦୟବିଦାରକ ଦୃଶ୍ୟକୁ ଶାହନୱାଜ ଭୁଲି ପାରିନଥିଲେ। ଏହାପରେ ସେ ଲୋକଙ୍କୁ ଅକ୍ସିଜେନ୍‌ ଯୋଗାଇବା ପାଇଁ ଏକାକୀ ଅଭିଯାନ ଆରମ୍ଭ କରିଥିଲେ। ଏବେ ତାଙ୍କୁ ଆଉ ୪୦ ଜଣଙ୍କର ସମର୍ଥନ ମିଳିଛି ଏବଂ ବିଭିନ୍ନ ମହଲ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି। ସିଭିଲ୍‌ କଣ୍ଟ୍ରାକ୍ଟର୍‌ ବୃତ୍ତି ଛାଡ଼ି ‌ସେ ଏବେ ଅକ୍ସିଜେନ୍‌ ମ୍ୟାନ୍‌ ହୋଇଛନ୍ତି। ପ୍ରତ୍ୟେକ ଦିନ ତାଙ୍କ ଗ୍ରୁପ୍‌କୁ ସାହାଯ୍ୟ ପାଇଁ ୭୦୦ରୁ ୮୦୦ କଲ୍‌ ଆସୁଛି ଏବଂ ପ୍ରତିଦିନ ୫୦-୬୦ ଲୋକଙ୍କୁ ସେ ମାଗଣା ଅକ୍ସିଜେନ୍‌ ସହାୟତା ଯୋଗାଇ ଦେଉଛନ୍ତି। ଲୋକଙ୍କ ଆର୍ଶୀବାଦ ହିଁ କାମ ପାଇଁ ଉତ୍ସାହ ବଢ଼ାଇଛି ବୋଲି ଶାହନୱାଜଙ୍କ ସହ କାମ କରୁଥିବା ଜଣେ ବ୍ୟକ୍ତି ସୟଦ ହୁଜାଇଫା କହିଛନ୍ତି।

ସମ୍ବନ୍ଧିତ ଖବର