ସେଲ୍‌ ଦ୍ବାରା ‌‌‌‌ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ, ଜାତୀୟ ଟାସ୍କ ଫୋର୍ସର ସତ୍ୟପାଠରେ ତଥ୍ୟ ପ୍ରଦାନ

ନୂଆଦିଲ୍ଲୀ : କୋଭିଡ୍‌ର ଦ୍ବିତୀୟ ଲହରରେ ଦେଶର ବିଭିନ୍ନ ରାଜ୍ୟକୁ ରାଉରକେଲ‌ା ଇସ୍ପାତ କାରଖାନା ଦ୍ବାରା ଯୋଗାଇ ଦିଆଯାଇଥିବା ତରଳ ମେଡିକାଲ୍‌ ଅକ୍ସିଜେନ (ଏଲ୍‌ଏମ୍‌ଓ) ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ନିଯୁକ୍ତ ଜାତୀୟ ଟାସ୍କ ଫୋର୍ସର ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଜାତୀୟ ଟାସ୍କ ଫୋର୍ସ ଦ୍ବାରା ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିବା ୧୬୩ ପୃଷ୍ଠାର ସତ୍ୟପାଠରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌), ରାଉରକେଲା ଦ୍ବାରା ୨୦୨୧ ମେ ୨୫ ସୁଦ୍ଧା ଛଅଟି ରାଜ୍ୟ- ଆନ୍ଧ୍ରପ୍ରଦେଶ, ଓଡିଶା, ଉତ୍ତରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଓ କେରଳକୁ ମୋଟ ୧୯୭.୯୨ ମେଟ୍ରିକ୍‌ ଟନ୍‌ ଏଲ୍‌ଏମ୍‌ଓ ଯୋଗାଇ ଦିଆଯାଇଥିଲା ବୋଲି କୁହାଯାଇଛି। ସତ୍ୟପାଠରେ ଉଲ୍ଲିଖିତ ତଥ୍ୟ ଅନୁସାରେ ସେଲ୍‌, ରାଉରକେଲା ଦ୍ବାରା ଆନ୍ଧ୍ରପ୍ରଦେଶକୁ ୧୯.୬୬ ଏମ୍‌ଟି, ଓଡିଶାକୁ ୯.୬୨ ଏମ୍‌ଟି, ଉତ୍ତରପ୍ରଦେଶକୁ ୧୬.୬୨ ଏମ୍‌ଟି, ତେଲେଙ୍ଗାନାକୁ ୧୩.୯୨ ଏମ୍‌ଟି, ତାମିଲନାଡୁକୁ ୪୫.୫୮ଏମ୍‌ଟି ଓ କେରଳକୁ ୯୨.୫୨ ଏମ୍‌ଟି ଏଲ୍‌ଏମ୍‌ଓ ଯୋଗାଇ ଦିଆଯ‌ାଇଥିଲା।

ସେହିଭଳି ସତ୍ୟପାଠରେ ସେଲ୍‌, ରାଉରକେଲା ଲିଣ୍ଡେ ବିଓଓ ପ୍ଲାଣ୍ଟ ଦ୍ବାରା ଦେଶର ସାତଟି ରାଜ୍ୟକୁ ମେ ୨୫ ସୁଦ୍ଧା ୩୮୬.୫୪ ଏମ୍‌ଟି ଏଲ୍‌ଏମ୍‌ଓ ଯୋଗାଇ ଦିଆଯାଇଥିଲା ବୋଲି ଦର୍ଶାଯାଇଛି। ଏଥି ମଧ୍ୟରୁ ମଧ୍ୟପ୍ରଦେଶକୁ ୧୬.୨୧ ଏମ୍‌ଟି, ଛତିଶଗଡକୁ ୫୩.୭୧ ଏମ୍‌ଟି, ଆନ୍ଧ୍ରପ୍ରଦେଶକୁ ୮୧.୮୪ ଏମ୍‌ଟି, ଓଡିଶାକୁ ୫୦.୦୩ ଏମ୍‌ଟି, କର୍ଣ୍ଣାଟକକୁ ୧୯.୭୨ଏମ୍‌ଟି, ତେଲେଙ୍ଗାନାକୁ ୧୩୯.୪୯ ଏମ୍‌ଟି ଏବଂ ତାମିଲନାଡୁକୁ ୨୫.୫୪ ଏମ୍‌ଟି ଏଲ୍‌ଏମ୍‌ଓ ଯୋଗାଇ ଦିଆଯାଇଥିଲା ବୋଲି କୁହାଯାଇଛି। ସତ୍ୟପାଠରେ ୧୨ ଜଣିଆ ସୁପ୍ରିମ୍‌କୋର୍ଟ ନିଯୁକ୍ତ ଜାତୀୟ ଟାସ୍କ ଫୋର୍ସ କୋଭିଡ୍-୧୯ ପରିପେକ୍ଷୀରେ ଦେଶ‌ରେ ଅମ୍ଳଜାନ ପରିଚାଳନାକୁ ନେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର