ଅକ୍ସିଜେନ୍‌ ପାଇଁ ଗଲା ୨୪ ଜୀବନ

ନାସିକ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ଟ୍ୟାଙ୍କର ଲିକ୍

ନାସିକ୍ : ନାସିକ୍‌ର ଜାକିର ହୁସେନ୍‌ ହସ୍ପିଟାଲ୍‌ରେ ବୁଧବାର ଦିନ ଅକ୍ସିଜେନ୍‌ ଟ୍ୟାଙ୍କ୍‌ ଲିକ୍‌ ହେବାରୁ ବହୁତ ବଡ଼ ଅଘଟଣ ଘଟିଛି। ଲିକ୍‌ ପରେ ଅକ୍ସିଜେନ୍‌ ଯୋଗାଣ ବନ୍ଦ ହେବାରୁ ୨୨ ଜଣ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲରେ ଏଭଳି ହୃଦୟ ବିଦାରକ ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି । ହସ୍ପିଟାଲରେ ଭେଣ୍ଟିଲେଟର ଏବଂ ଅକ୍ସିଜେନ୍‌ ସହାୟତାରେ ଥିବା ୨୩ ଜଣ ରୋଗୀଙ୍କ ମଧ୍ୟରୁ ୨୨ ଜଣ ପ୍ରାଣ ହରାଇଥିବା ଜିଲ୍ଲାପାଳ କହିଛନ୍ତି। ହସ୍ପିଟାଲରେ ମୋଟ ୧୫୭ କୋଭିଡ୍‌ ରୋଗୀ ଚିକିତ୍ସିତ ହେଉଥିଲେ। ଏହି ଦୁଃଖଦ ଘଟଣା ହସ୍ପିଟାଲରେ ହାହାକାର ସ୍ଥିତି ସୃଷ୍ଟି କରିଥିବା ବେଳେ ମୃତକଙ୍କ ପରିଜନମାନେ ହସ୍ପିଟାଲ ପରିସରରେ ଜୋର୍‌ଦାର ପ୍ରତିବାଦ କରିଛନ୍ତି ଏବଂ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ବୁଧବାର ଦିନ ହସ୍ପିଟାଲରେ ମୋଟ ୧୫୭ ଜଣ ରୋଗୀ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ୬୩ ଜଣ ରୋଗୀ ଗୁରୁତର ଥିଲେ। ସଙ୍କଟାପନ୍ନ ଥିବା ୨୩ ଜଣ କୋଭିଡ୍‌ ରୋଗୀଙ୍କୁ ଭେଣ୍ଟିଲେଟର ଏବଂ ଅକ୍ସିଜେନ୍‌ ସହାୟତାରେ ରଖାଯାଇଥିଲା। ସାଢ଼େ ୧୦ଟା ବେଳେ ଅକ୍ସିଜେନ୍‌ ସିଲିଣ୍ଡର ଲିକ୍‌ ହେବା ଜଣାପଡ଼ିଥିଲା। ଏହା ପରେ ଅକ୍ସିଜେନ୍‌ ଯୋଗାଣ ବନ୍ଦ ରଖାଯାଇଥିଲା। ଅପରାହ୍ନ ୧ଟା ୩୦ ସୁଦ୍ଧା ଅକ୍ସିଜେନ୍‌ ଯୋଗାଣ ଠିକ୍‌ ହୋଇଥିଲା। କିନ୍ତୁ ସେତେବେଳକୁ ୨୨ ଜଣ ରୋଗୀଙ୍କ ଜୀବନ ଚାଲି ଯାଇଥିଲା। ହସ୍ପିଟାଲ ପରିସରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଏବଂ ପୀଡ଼ିତ ପରିବାର ସଦସ୍ୟଙ୍କ ଭିଡ଼ ଯୋଗୁଁ ପରିସ୍ଥିତି ସ୍ବାଭାବିକ ହେବାରେ ବିଳମ୍ବ ହୋଇଥିଲା ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର