ଚିଦମ୍ବରମ ଗୃହ ମନ୍ତ୍ରୀ ଥିବା ବେଳେ ଅମିତ ଶାହଙ୍କୁ ବାନ୍ଧିଥିଲା ସିବିଆଇ

ପ୍ରତିଶୋଧ!

ନୂଆଦିଲ୍ଲୀ : ରାଜନୀତିର ସମୟ ଚକ୍ର ଘୂରିବା ସହ ବହୁତ କିଛି ବଦଳି ଯାଉଛି । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ କେନ୍ଦ୍ର ଗୃହ ମନ୍ତ୍ରୀ ପି. ଚିଦମ୍ବରମ ଏବେ ସିବିଆଇ ହାତରେ ଗିରଫ ହୋଇଛନ୍ତି। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେବା ପରେ ଚିଦମ୍ବରମ ୨୭ ଘଣ୍ଟା ଧରି ନିଖୋଜ ଥିଲେ। ଅନ୍ୟପକ୍ଷରେ ଇଡି ଏବଂ ସିବିଆଇ ଚିଦମ୍ବରମଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ ଏବଂ ଆଜି ରାତିରେ ତାଙ୍କୁ ଗିରଫ କରାଯାଇଛି। ପ୍ରାୟ ୧୦ ବର୍ଷ ତଳେ ଠିକ୍‌ ଏଭଳି ସ୍ଥିତି ବର୍ତ୍ତମାନର ଗୃହ ମନ୍ତ୍ରୀ ଅମିତ ଶାହଙ୍କ କ୍ଷେତ୍ରରେ ଘଟିଥିଲା। ଶାହଙ୍କ ପଛରେ ସିବିଆଇ ଏବଂ ଅନ୍ୟ ଏଜେନ୍ସିମାନେ ପଡ଼ିଥିଲେ। ଏବେ ସମୟ ବଦଳିବା ସହ ଖେଳ ମଧ୍ୟ ବଦଳି ଯାଇଛି। ୟୁପିଏ ସରକାରଙ୍କ କାର୍ଯ୍ୟକାଳରେ ଚିଦମ୍ବରମ ଗୃହମନ୍ତ୍ରୀ ଥିଲେ। ଏହି ସମୟରେ ସୋହରାବୁଦ୍ଦିନ ଶେଖ୍‌ ଏନ୍‌କାଉଣ୍ଟର ମାମଲା ଚର୍ଚ୍ଚାରେ ରହିଥିଲା ଏବଂ ଏହି ମାମଲାରେ ଅମିତ ଶାହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ୨୫ ଜୁଲାଇ ୨୦୧୦ରେ ସିବିଆଇ ଅମିତ ଶାହଙ୍କୁ ଗିରଫ କରିଥିଲା ଏବଂ ଜେଲ୍‌ ପଠାଇ ଦେଇଥିଲା। ସେ ୩ ମାସ ଜେଲ୍‌ରେ ରହିଥିଲେ। ଚିଦମ୍ବରମ ୨୯ ନଭେମ୍ବର, ୨୦୦୮ରୁ ୩୧ ଜୁଲାଇ ୨୦୧୨ ପର୍ଯ୍ୟନ୍ତ ଗୃହମନ୍ତ୍ରୀ ରହିଥିଲେ। ଏବେ ସମୟ ବଦଳିଯିବା ସହ ଅମିତ ଶାହ ଦେଶର ଗୃହ ମନ୍ତ୍ରୀ ହୋଇଛନ୍ତି ଏବଂ ସିବିଆଇ-ଇଡି ଚିଦମ୍ବରମଙ୍କୁ ଜେଲ୍‌ ପଠାଇବାକୁ ସମସ୍ତ ପ୍ରସ୍ତୃତି ସାରିଛନ୍ତି।

ସମ୍ବନ୍ଧିତ ଖବର