ବଢୁଛି ଚିଦମ୍ବରମଙ୍କ ଅଡୁଆ, ନ୍ୟାୟିକ ହାଜତ ମିଆଦ ନଭେମ୍ବର ୨୭କୁ ବୃଦ୍ଧି

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ସମସ୍ୟା ବଢିଚାଲିଛି । ଆଜି ତାଙ୍କର ନ୍ୟାୟିକ ହାଜତ ମିଆଦ ଶେଷ ହେଉଥିବାବେଳେ ତାହାକୁ ପୁଣି ନଭେମ୍ବର ୨୭ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଜତ ମିଆଦ ବୃଦ୍ଧି କରିବାକୁ ଇଡି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଆବେଦନ କରିଥିଲା । ଆଜିର ଶୁଣାଣି ପାଇଁ ଚିଦମ୍ବରମଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର କରାଯାଇଥିଲା । ହାଜତ ମିଆଦ ବୃଦ୍ଧିକୁ ଚିଦମ୍ବରମଙ୍କ ଓକିଲ ବିରୋଧ କରିଥିଲେ ମଧ୍ୟ ସ୍ୱତନ୍ତ୍ର ସିବିଆଇ ଜଜ୍‌ ଅଜୟ କୁମାର କୁହର ତାହାକୁ ଖାରଜ କରିଦେଇଛନ୍ତି ।
ଆଇଏନଏକ୍ସ ମିଡିଆ ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦମ୍ବରମଙ୍କୁ ଗିରଫ କରିଥିଲା । ୨୦୦୭ରେ ଚିଦମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ ବେଆଇନ ଭାବେ ଅନୁମତି ଦେଇଥିଲା । ଲାଞ୍ଚ ନେଇ ଚିଦମ୍ବରମ ଏହି ଅନୁମତି ଦେଇଥିଲେ ବୋଲି ସିବିଆଇ କହୁଛି ।

ସମ୍ବନ୍ଧିତ ଖବର