ସତର୍କ କରାଇଦେଲେ ପି. ସାଇନାଥ : ‘ଖାଦ୍ୟ ପାଇଁ ଦଙ୍ଗା ହୋଇପାରେ’

ଓଡ଼ିଶାର ନିର୍ମାଣ ଶ୍ରମିକ ଓ ପାଣି ପାଇପ ମିସ୍ତ୍ରୀଙ୍କ କଥା ଉଠାଇଲେ
ସରକାର ଚାଷୀଙ୍କ ରବି ଫସଲକୁ ତୁରନ୍ତ ବଜାରରେ ପହଞ୍ଚାନ୍ତୁ
ଲୋକଙ୍କ ଆୟ ହ୍ରାସ ପାଇଲେ ଅର୍ଥକରୀ ଫସଲ କିଏ କିଣିବ?
ଅର୍ଥକରୀ ଫସଲ ବଦଳରେ ଖାଦ୍ୟ ସାମଗ୍ରୀର ଫସଲ କରାଯାଉ
ସଫେଇ, ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା ଦିଆଯାଉ
୨୦୧୧ରୁ ପ୍ରବାସୀ ଶ୍ରମିକଙ୍କ ସଂପର୍କରେ ତଥ୍ୟ ଆସିଲାଣି
ସେମାନଙ୍କ ଚିନ୍ତା ବଦଳରେ ସ୍ମାର୍ଟ ସିଟି ଚିନ୍ତା ଚାଲିଥିଲା

ନୂଆଦିଲ୍ଲୀ : ଦେଶର ଗୋଦାମରେ ବଳକା ଖାଦ୍ୟ ପଚୁଥିବା ବେଳେ ଲୋକଙ୍କୁ ଖାଇବାକୁ ଖାଦ୍ୟ କାହିଁକି ଯୋଗାଇ ଦିଆଯାଇ ପାରୁନାହିଁ?

ସାଧାରଣତଃ ରବି ଚାଷ ବେଳେ ଚାଷୀ ଅର୍ଥକରୀ ଫସଲ କରିଥାଏ। ଲୋକଙ୍କ ଆୟ ଆଗାମୀ ଦିନରେ ସାଂଘାତିକ ଭାବେ ହ୍ରାସ ପାଇଲେ ଚାଷୀ କରିଥିବା ଅର୍ଥକାରୀ ଫସଲକୁ କିଏ କିଣିବ? ତାହାକୁ କେଉଁଠି ବିକ୍ରି କରାଯିବ?‌

ଦେଶର କୋଟି କୋଟି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଯଦି କେବଳ ଅର୍ଥକାରୀ ଫସଲ ଚାଷ କରନ୍ତି ତା’ହେଲେ ସେମାନେ ଖାଇବେ କ’ଣ?

ଏଭଳି କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରି ବିଶିଷ୍ଟ ଗ୍ରାମାଞ୍ଚଳ ବ୍ୟାପାର ସାମ୍ବାଦିକ ତଥା ପିପୁଲ୍ସ ଆର୍କାଇଭ୍‌ସର ପ୍ରତିଷ୍ଠାତା ସମ୍ପାଦକ ପି ସାଇନାଥ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ କରୋନା ମୁକାବିଲା ଯୋଜନା ଓ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି। ଏହାସହିତ ସେ ସତର୍କ କରାଇ ଦେଇଛନ୍ତି ଯେ ଖାଦ୍ୟର ଅଭାବ ଦେଖାଦେଲେ ଦଙ୍ଗା ଭଳି ସ୍ଥିତି ସୃଷ୍ଟି ‌ହୋଇପାରେ।

ଏନ୍‌ଡିଟିଭି ସାମ୍ବାଦିକ ନିଧି ରାଜଦାନଙ୍କୁ ସାକ୍ଷାତକାର ଦେବା ଅବସରରେ ଶ୍ରୀ ସାଇନାଥ ଦେଶରେ ବର୍ତ୍ତମାନ କରୋନା ମୁକାବିଲା ପାଇଁ ପରାମର୍ଶ ଦେଇ କହିଛନ୍ତି ଯେ ଏବେ ସମୟ ଆସିଛି, ଆସନ୍ତା ଖରିଫ ଋତୁରେ ଦେଶର କୃଷକମାନେ ଅର୍ଥକରୀ ଫସଲ ଆଦୌ ନକରି କେବଳ ଖାଦ୍ୟ ସାମଗ୍ରୀର ଚାଷ କରିବା ଉଚିତ। ଅନ୍ୟପକ୍ଷରେ କୃଷକମାନଙ୍କ ନିକଟରେ ଏବେ ରହିଯାଇଥିବା ଅବଶିଷ୍ଟ ରବି ଫସଲକୁ ସରକାର ତୁରନ୍ତ ବଜାରରେ ପହଞ୍ଚାଇବା ଲାଗି ବ୍ୟବସ୍ଥା କରିବା ଦରକାର।

ଏହାସହିତ ବିଭିନ୍ନ ରାଜ୍ୟରେ ଯେଉଁ ପ୍ରବାସୀ ଶ୍ରମିକମାନେ ଅଟକି ରହିଛନ୍ତି, ସେମାନଙ୍କ ଲାଗି ବିଭିନ୍ନ ରାଜ୍ୟରେ ବନ୍ଦ ରହିଥିବା ସ୍କୁଲ, କଲେଜ, କମ୍ୟୁନିଟି ସେଣ୍ଟର ଆଦି ଘର ଖୋଲି ଦିଆଯିବା ସହିତ ଏହାକୁ ଆଶ୍ରୟସ୍ଥଳୀରେ ପରିଣତ କରିବା ଦରକାର। ଗଣମାଧ୍ୟମ ମଧ୍ୟ ଏହି ପରିପ୍ରେକ୍ଷୀରେ ଆତ୍ମ ନିରୀକ୍ଷଣ କରିଲେ ଜାଣିପାରିବ ଗତ ଦୁଇ ସପ୍ତାହ ହେଲା ସେମାନେ ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟାକୁ ଯେଭଳି ଉପସ୍ଥାପିତ କରୁଛନ୍ତି ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ତାହା କେବେ କରାଯାଇ ନଥିଲା। ଏହି ଶ୍ରମିକମାନେ ଦୁଃସ୍ଥିତିରେ ଥିଲେ ମଧ୍ୟ ଆମେ ଅନେକ ଏହାକୁ ନେଇ ଖୁସିଥିଲୁ। ରାଜସ୍ଥାନର ବଢ଼େଇ, ଓଡ଼ିଶାର ନିର୍ମାଣ ଶ୍ରମିକ, ଉତ୍ତର ପ୍ରଦେଶର ଇଲେକ୍ଟ୍ରିସିଆନ ଏବଂ ରଙ୍ଗମିସ୍ତ୍ରୀ, ଗଞ୍ଜାମର ପାଣି ପାଇପ୍‌ ମିସ୍ତ୍ରୀ ଆଦି ସମସ୍ତେ ସହରରେ କାମ କରୁଥିଲେ। ସବୁ କିଛି ଠିକ୍ ଥିଲା। କିନ୍ତୁ ଯେତେବେଳେ ସଙ୍କଟ ଦେଖାଦେଲା ସେମାନେ ଅସୁବିଧାରେ ପଡ଼ିଲେ। ମାର୍ଚ୍ଚ ୨୫ ତାରିଖରେ ବିଧିବଦ୍ଧ ଯୋଜନା ନଥିବା ଭଳି ଯେଉଁଭଳି ଢଙ୍ଗରେ ସରକାର ଲକଡାଉନ୍ ଘୋଷଣା କରିଲେ ତାହା ସେମାନଙ୍କ ମନରେ ଭୟ ସୃଷ୍ଟି କରିଲା। ତେଣୁ ସେମାନେ ସେମାନଙ୍କ କର୍ମସ୍ଥଳୀ ଛାଡ଼ିବା ଆରମ୍ଭ କରିଲେ। ସେମାନେ ଦୀର୍ଘ ବାଟ ଚାଲି ସେମାନଙ୍କ ଗାଆଁକୁ ଯିବାକୁ ଚେଷ୍ଟା କଲେ। କିନ୍ତୁ ରାଜ୍ୟର ସୀମାରେ ସେମାନଙ୍କୁ ଅଟକାଇ ରଖି ଦିଆଗଲା। ସେହିଭଳି ଗ୍ରାମରେ ମଧ୍ୟ ସେମାନଙ୍କୁ ପୂରାଇ ଦିଆଗଲା ନାହିଁ।

ସାଇନାଥ କହିଛନ୍ତି ଯେ ୨୦୧୧ ମସିହାର ଜନଗଣନାରେ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ଏକ ସଙ୍କେତ ମିଳିଥିଲା। ସ୍ବାଧୀନ ଭାରତର ଇତିହାସରେ ଏହି ଦଶନ୍ଧିରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ସର୍ବାଧିକ ବୃଦ୍ଧି ହୋଇଥିଲା। ଏ ନେଇ କୌଣସି ବିଶେଷଜ୍ଞ କମିଟି ଦ୍ବାରା ଥରେ କେବେ ଆଲୋଚନା ଓ ଚର୍ଚ୍ଚା ହୋଇନାହିଁ। ଏହା ପରିବର୍ତ୍ତେ ଆମେ ସ୍ମାର୍ଟ ସିଟି ଯୋଜନା କରୁଥିଲେ। ଏହା କି ପ୍ରକାର ବୋକାମୀ? ସହରକୁ ବହୁ ସଂଖ୍ୟାରେ ଲୋକ ଆସୁଥିଲେ ମଧ୍ୟ ସେମାନଙ୍କ ପାଇଁ ରହିବା ଓ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ନଥିଲା। ସହରାଞ୍ଚଳ ଗ୍ରାମାଞ୍ଚଳ ଜିଡିପି ବୃଦ୍ଧିର ପାର୍ଥକ୍ୟ ଗତ ୪ ଦଶନ୍ଧି ମଧ୍ୟରେ ସର୍ବାଧିକ ଥିବା ବିଷୟ ମଧ୍ୟ ସେହି ଜନଗଣନା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ସହରରେ ଏବେ ଥିବା ୨୫ ପ୍ରତିଶତ ଲୋକଙ୍କ ପାଇଁ ଭିତ୍ତିଭୂମି ନିର୍ମାଣ କରାଯାଇ ପାରିଲା ନାହିଁ। ବରଂ ଏଭଳି ଭିତ୍ତିଭୂମି ସୃଷ୍ଟି କରାଗଲା ଯାହା କି କେବଳ ସହରର ଦୁଇ ପ୍ରତିଶତ ଲୋକଙ୍କ ପାଇଁ ଉଦ୍ଦିଷ୍ଚ। ଏହି ଅବସରରେ ସେ ଇନ୍ଦୋର ସ୍ମାର୍ଟ ସିଟି ଏକ ଉଦାହରଣ ବୋଲି ସୂଚାଇଥିଲେ।

ଏପ୍ରିଲ ୨୦ରୁ ସରକାର ଗ୍ରାମୀଣ ଅର୍ଥନୀତି ଏବଂ କୃଷି କ୍ଷେତ୍ର ପାଇଁ କି ପ୍ରକାର କୋହଳ ପଦକ୍ଷେପ ସଂକ୍ରାନ୍ତ ପ୍ରଶ୍ନରେ ସାଇନାଥ କହିଥିଲେ ଯେ ସରକାରଙ୍କ ଯୋଜନା ଓ କାର୍ଯ୍ୟରେ ଖୁବ୍ କମ୍ ସ୍ପଷ୍ଟତା ରହିଛି। ଏମଏନଆରଇଜିଏର ସାମାଜିକ ଦୂରତା ନିୟମକୁ ପାଳନ କରାଯିବ ବୋଲି ସରକାର କହୁଛନ୍ତି। ତେବେ କୃଷି କ୍ଷେତ୍ରରେ କଣ କରାଯିବ? କୃଷିରେ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବା ସମ୍ଭବ କି?

ପ୍ରତ୍ୟେକ କୃଷକ ଆସନ୍ତା ଖରିଫ୍‌ ଋତୁରେ ଯେଭଳି ଖାଦ୍ୟ ସାମଗ୍ରୀର ଚାଷ କରିବେ ତାହାକୁ ସରକାର ଦେଖିବା ଉଚିତ। ସରକାର ନିଜ ହାତରୁ କେତେ ଶୀଘ୍ର ନିୟନ୍ତ୍ରଣ ହରାଉଛନ୍ତି ସେ ନେଇ ମଧ୍ୟ ସାଇନାଥ ସତର୍କ କରାଇ ଦେଇଥିେଲ। େସ କହିଥିଲେ, ଖାଦ୍ୟ ବାଣ୍ଟୁଥିବା ସ୍ବେଚ୍ଛାସେବୀମାନଙ୍କୁ ତେଲେଙ୍ଗାନାରେ ଆକ୍ରମଣ କରାଯାଇଛି। ଦେଶର ବିଭିନ୍ନ ଭାଗରେ ଏଭଳି ଘଟିବାର କାରଣ ହେଲା ଦେଶରେ ଏବେ ଖାଦ୍ୟ ସାମଗ୍ରୀ ଆବଶ୍ୟକ କରୁଥିବା ଲୋକଙ୍କ ତୁଳନାରେ ଖାଦ୍ୟ ସାମଗ୍ରୀ ବାଣ୍ଟୁଥିବା ଲୋକଙ୍କ ସଂଖ୍ୟା ଖୁବ୍ କମ୍‌। ସରକାର ଚାଷ କାମ ଆରମ୍ଭ କରିଲେ ବି କ’ଣ ଉତ୍ପାଦନ କରିବେ? ଦେଶର ଗୋଦାମ ଗୁଡ଼ିକରେ ୬୦ ନିୟୁତ ଟନ୍‌ର ବଳକା ଖାଦ୍ୟ ମହଜୁଦ ଥିଲେ ମଧ୍ୟ ତାହାକୁ ଲୋକଙ୍କ ନିକଟରେ ପହଞ୍ଚାଯାଇ ପାରୁନାହିଁ ବୋଲି ସେ କହିଥିଲେ। ଦେଶର ଗୋଦାମରେ ବଳକା ଖାଦ୍ୟ ପଚୁଥିବା ବେଳେ ଲୋକଙ୍କୁ ଖାଇବାକୁ ଖାଦ୍ୟ କାହିଁକି ଯୋଗାଇ ଦିଆଯାଇ ପାରୁନାହିଁ। ଏହା ଏକ ବିରୋଧାଭାଷ।

ଆଗାମୀ ଖରିଫ ଋତୁରେ ଅର୍ଥକରୀ ଫସଲ ପରିବର୍ତ୍ତେ ଖାଦ୍ୟ ସାମଗ୍ରୀର ଚାଷ କରିବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟଥା ସମାଜର ଦୁର୍ବଳ ବର୍ଗଙ୍କର ଖାଦ୍ୟ ସୁରକ୍ଷା ବିପନ୍ନ ହୋଇପଡ଼ିବ। ଖାଦ୍ୟର ଅଭାବ ଦେଖାଦେଲେ ଲୋକଙ୍କ ମଧ୍ୟରେ ଏକତା ବଦଳରେ ଦଙ୍ଗା ଦେଖାଦେବାର ଆଶଙ୍କା ରହିଛି ବୋଲି ସେ ଚେତାଇ ଦେଇଥିଲେ।

ଏହା କାହିଁକି ହେଉଛି ବୋଲି ପ୍ରଶ୍ନରେ ସାଇନାଥ କହିଲେ ଏହି ବିରୋଧାଭାଷ ‌ଏବେ ଦେଖାଦେଇ ନାହିଁ। ବରଂ ଦୁଇ ଦଶନ୍ଧି ହେଲା ଏପରି ଅବସ୍ଥା ସୃଷ୍ଟି ହୋଇଛି। ଏଥିସହିତ ୨୮ ବର୍ଷ ପୂର୍ବେ ସରକାର ଗ୍ରହଣ କରିଥିବା ଆର୍ଥିକ ମଡେଲକୁ ମଧ୍ୟ ସାଇନାଥ ସମାଲୋଚନା କରିଥିଲେ। କରୋନାରେ ବିଶ୍ବରେ ଲୋକମାନେ କେମିତି ମରିଯିବେ ସେ ନେଇ ଆଲୋଚନା ଏବଂ ପୂର୍ବାନୁମାନ କରାଯାଉଥିଲେ ମଧ୍ୟ କେହି ଗତ ୨୮ ବର୍ଷ ତଳେ ନିଆଯାଇଥିବା ହାସ୍ୟାସ୍ପଦ ଅର୍ଥନୈତିକ ଢାଞ୍ଚା କେବେ ଶେଷ ହେବ ସେ ନେଇ କେହି ଆଲୋଚନା କରୁନାହାନ୍ତି ବୋଲି ସାଇନାଥ କହିଥିଲେ।

କରୋନା କଟକଣାକୁ ସମାଲୋଚନା କରି ସାଇନାଥ କହିଥିଲେ ଯେ ସରକାର ଏବେ ଦେଶରେ ୧୩୦ କୋଟି ଲୋକଙ୍କୁ ଘରେ ଆବଦ୍ଧ ନକରି ସଂକ୍ରମଣ ଆରମ୍ଭରେ ଦେଶର ବିମାନ ବନ୍ଦର ଗୁଡ଼ିକକୁ ବନ୍ଦ କରିବା ଏବଂ ବିମାନ ବନ୍ଦର ମାଧ୍ୟମରେ ଦେଶକୁ ଆସୁଥିବା ଲୋକମାନଙ୍କୁ ଅଲଗା ରଖିଥିଲେ ଆଜି ଏଭଳି ପରିସ୍ଥିତି ଉପୁଜି ନଥାନ୍ତା।

ସରକାର ଏତେ କଟକଣା କରୁଛନ୍ତି, ହେଲେ କେତେ ସଫେଇ କର୍ମଚାରୀ ମାସ୍କ ବ୍ୟବହାର କରୁଛନ୍ତି? ସେମାନଙ୍କୁ ସାନିଟାଇଜର ଦେଇଛନ୍ତି? ବରଂ ଏବେ ପ୍ରାଥମିକତା ଭିତ୍ତିରେ ସହରାଞ୍ଚଳରେ ଠିକାରେ କମ୍ ପଇସାରେ କାମ କରୁଥିବା ସଫେଇ କର୍ମଚାରୀଙ୍କୁ ତୁରନ୍ତ ସରକାରୀ କର୍ମଚାରୀ ଘୋଷଣା କରାଯିବା ଉଚିତ୍। ସେମାନଙ୍କୁ ମାସିକ ୫ ହଜାର ଟଙ୍କାର ବେତନ ଦେବା ଦରକାର। ସେହିଭଳି ଦେଶର କୋଟି ଶିଶୁ ଏବଂ ମାଆମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନେଉଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ସଫେଇ କର୍ମଚାରୀଙ୍କ ଭଳି ସରକାରୀ କର୍ମଚାରୀର ମାନ୍ୟତା ଦେବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଗେଇ ଆସନ୍ତୁ।

ସମ୍ବନ୍ଧିତ ଖବର