ରାଷ୍ଟ୍ରପତିଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କଲେ ପବିତ୍ର ମୋହନ ଦାଶ

ନୂଆଦିଲ୍ଲୀ : ଗୁରୁ ଦିବସରେ ଦେଶର ୪୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶିକ୍ଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଜାତୀୟ ଶିକ୍ଷକ ପୁରସ୍କାରରେ ପୁରସ୍କୃତ କରିଛନ୍ତି। ରାଜ୍ୟର ଏକ ମାତ୍ର ଶିକ୍ଷକ ତଥା କୋରାପୁଟ୍ ଜିଲ୍ଲାର ଖଟଲୁଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପବିତ୍ର ମୋହନ ଦାଶ ମର୍ଯ୍ୟାଦାଜନକ ଜାତୀୟ ଶିକ୍ଷକ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ପୁରସ୍କାର ବାବଦରେ ପବିତ୍ର ମୋହନ ଦାଶଙ୍କୁ ସାର୍ଟିଫିକେଟ୍ ଅଫ୍ ମେରିଟ୍, ରୌପ୍ୟ ପଦକ ଓ ନଗଦ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।

ଆଜି ବିଜ୍ଞାନ ଭବନରେ ଗୁରୁଦିବସ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃତୀ ଶିକ୍ଷକମାନଙ୍କୁ ସମ୍ମାନିତ କରିଥିଲେ। ୨୦୦୧ରୁ ଶିକ୍ଷକତା ଆରମ୍ଭ କରିଥିବା ପବିତ୍ର ମୋହନ ୨୦୧୬ରେ ରାଜ୍ୟ ସ୍ତରରେ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର, ୨୦୧୪ରେ ପ୍ରକୃତି ବନ୍ଧୁ, ୨୦୧୬ରେ ପ୍ରକୃତି ମିତ୍ର ସମ୍ମାନ ପାଇଥିଲେ। ପଛୁଆ ଅଞ୍ଚଳରେ ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ପବିତ୍ର ମୋହନଙ୍କ ସମେତ ଦେଶର ୪୬ ଜଣ କୃତୀ ଶିକ୍ଷକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ। ଆଜି ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିବା ପରେ ପବିତ୍ର ମୋହନ ନିଜ ପ୍ରତିକ୍ରିୟାରେ କହିଥିଲେ ଏହି ସମ୍ମାନ ଆଗକୁ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଗବେଷଣା କରିବା ପାଇଁ ପ୍ରୋତ୍ସାହିତ କରିବ। ଏହି ଜାତୀୟ ଶିକ୍ଷକ ପୁରସ୍କାର ପାଇବାର ଶ୍ରେୟ ନିଜ ବାପାଙ୍କୁ ଦେଉଛନ୍ତି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର