ଧାନର ଏମ୍‌ଏସ୍‌ପି ବୃଦ୍ଧି ନେଇ ହେଲାନି ଆଲୋଚନା, ବିଜେଡି ସାଂସଦ ନିରାଶ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ ସାଂସଦମାନଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାକୁ ମୁଲତବୀ କରାଯିବା ହେତୁ ଆଜି ଗୃହରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ସମ୍ପର୍କିତ ସ୍ୱଳ୍ପ ଅବଧି ଆଲୋଚନା ହୋଇପାରି ନାହିଁ। ଏନେଇ ରାଜ୍ୟସଭାରେ ବିଜେଡି ସାଂସଦମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଧାନର ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗରେ ରାଜ୍ୟସଭାରେ ଆଲୋଚନା ପାଇଁ ବିଜେଡି ଦ୍ୱାରା ନୋଟିସ୍‌ ଦିଆଯାଇଥିଲା। ବିଜେଡିର ନୋଟିସ୍‌ ଗ୍ରହଣ କରି ରାଜ୍ୟସଭା ଅଧ୍ୟକ୍ଷ ସ୍ୱଳ୍ପ ଅବଧି ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରିଥିଲେ।

ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ପ୍ରତାପ କେଶରୀ ଦେବ ଓ ସାଂସଦ ଏନ୍‌ ଭାସ୍କର ରାଓ ଏହି ଆଲୋଚନାରେ ଭାଗନେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ତୃଣମୂଳ କଂଗ୍ରେସ ସାଂସଦଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ମୁଲତବୀ ରଖାଯାଇଥିଲା। ଫଳରେ ଏମ୍‌ଏସପି ବୃଦ୍ଧି ସମ୍ପର୍କିତ ସ୍ୱଳ୍ପ ଅବଧି ଆଲୋଚନା ହୋଇ ପାରିନାହିଁ। ଉଲ୍ଲେଖଯୋଗ୍ୟ, ଗତମାସ ୪ ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାନର ଏମ୍‌ଏସ୍‌ପି ୧୭୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଓଡ଼ିଶାରେ ଧାନର ଏମ୍‌ଏସ୍‌ପିକୁ ୨୯୩୦ ଟଙ୍କା ରଖିବା ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ତେଣୁ ଏହି ସ୍ୱଳ୍ପ ଅବଧି ଆଲୋଚନାରେ ଚାଷୀର ସମସ୍ୟାକୁ ଉପସ୍ଥାପନ କରାଯିବା ସହ ଏମ୍‌ଏସ୍‌ପି ବୃଦ୍ଧି ପାଇଁ ବଳିଷ୍ଠ ତଥ୍ୟ କେନ୍ଦ୍ର ସରକାରଙ୍କୁ ଅବଗତ କରିବାର ସୁଯୋଗ ଗୃହ ମୁଲତବୀ ଯୋଗୁଁ ସମ୍ଭବ ହୋଇପାରିଲାନି ବୋଲି ସାଂସଦ ଆଚାର୍ଯ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର