ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର ଉତ୍ସବରେ ଦ୍ବିତୀୟ ପର୍ଯ୍ୟାୟରେ ୨୦୨୩ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ତାଙ୍କ ପୁତ୍ର ଅଖିଳେଶ ଯାଦବ ରାଷ୍ଟ୍ରପତିଙ୍କଠାରୁ ଏହା ଗ୍ରହଣ କରିଥିଲେ। ସେହିପରି ବିଶିଷ୍ଟ ଔପନ୍ୟାସିକା ତଥା ଇନ୍ଫୋସିସ୍ର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କୁ ସମାଜସେବା ଲାଗି ଅବଦାନ ପାଇଁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ସେ ରାଷ୍ଟ୍ରପତିଙ୍କ କରକମଳରୁ ଏହା ଗ୍ରହଣ କରିଛନ୍ତି।
ଅସ୍କାର-ବିଜେତା ନାଟୁ ନାଟୁ ଗୀତର ପ୍ରସିଦ୍ଧ ସ୍ବରକାର ଏମ୍ଏମ୍ କୀରାବାଣୀଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଶୈକ୍ଷିକ କାର୍ଯ୍ୟକ୍ରମ ‘ସୁପର ୩୦’ର ପ୍ରତିଷ୍ଠାତା ତଥା ଶିକ୍ଷାବିତ୍ ଆନନ୍ଦ କୁମାରଙ୍କୁ ମଧ୍ୟ ପଦ୍ମଶ୍ରୀ ଦିଆଯାଇଛି। ଗତ ଜାନୁଆରି ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ୨୭ ତାରିଖରେ ରାଷ୍ଟ୍ରପତି ମୁର୍ମୁ ୪୭ ଜଣଙ୍କୁ ପଦ୍ମଶ୍ରୀ, ୪ ଜଣଙ୍କୁ ପଦ୍ମଭୂଷଣ ଓ ୩ ଜଣଙ୍କୁ ପଦ୍ମବିଭୂଷଣ ପ୍ରଦାନ କରିଥିଲେ।