ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି : ଜେନେରାଲ ବିପିନ ରାଓ୍ବତଙ୍କ ଦୁଇ ଝିଅ ଗ୍ରହଣ କଲେ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତିମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଗତ ବର୍ଷ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି । ଜେନେରାଲ ରାଓ୍ବତଙ୍କ ଦୁଇ ଝିଅ କୃତ୍ତିକା ଓ ତାରିଣି ଏହି ପୁରସ୍କାର ଗ୍ରହଣ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ପଦ୍ମ ଭୁଷଣ ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ସେରମ ଇନଷ୍ଟିଚ୍ୟୁଟର ଏମଡି ସାଇରସ୍ ପୁନାଓ୍ବାଲା ମଧ୍ୟ ପଦ୍ମ ଭୁଷଣ ପୁରସ୍କାର ଗ୍ରହଣ କରିଛନ୍ତି ।

ବିଭିନ୍ନ କ୍ଷେତ୍ରରେ ଶୀର୍ଷ ସଫଳତା ଲାଭ କରିଥିବା ଓଡ଼ିଶାର ୭ ଜଣ ପରିଚିତ ବ୍ୟକ୍ତିତ୍ବଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ବିଶିଷ୍ଟ ସାହିତ୍ୟିକ ଡ. ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି ।  ସେହିପରି  କ୍ରୀଡ଼ାବିତ ପ୍ରମୋଦ ଭଗତ (କ୍ରୀଡ଼ା), ଶ୍ରମଦ ବାବା ବଳିଆ (ସମାଜ ସେବା), ଆଦିତ୍ୟ ପ୍ରସାଦ ଦାସ (ବିଜ୍ଞାନ ଓ ଇଂଜିନିୟରିଂ), ଶ୍ୟାମାମଣି ଦେବୀ ( କଳା) ଓ  ନୃସିଂହ ପ୍ରସାଦ ଗୁରୁ (ସାହିତ୍ୟ ଓ ଶିକ୍ଷା)ଙ୍କୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି । ଗତ ବର୍ଷ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଓଡ଼ିଆ ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତରଭାବେ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଛି ।

ଏହି ପୁରସ୍କାର ପ୍ରଦାନ ସମାରୋହରେ ଉପରାଷ୍ଟ୍ରପତି ଭୈଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ ।

ଗତ ଜାନୁଆରି ୨୫ ସଂଧ୍ୟାରେ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଲାଗି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଥିଲେ । ଚଳିତ ବର୍ଷ ମୋଟ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ  ପୁରସ୍କାର ପ୍ରଦାନ ଲାଗି ଘୋଷଣା କରାଯାଇଥିଲା ।

 

ସମ୍ବନ୍ଧିତ ଖବର