ପଦ୍ମ ପୁରସ୍କାର ଘୋଷିତ, ତାଲିକାରେ ୭ ଓଡ଼ିଆ, ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଚଳିତ ବର୍ଷର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ଗତ ମାସରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜେନେରାଲ ବିପିନ ରାଓ୍ବତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯିବ। ବିଭିନ୍ନ କ୍ଷେତ୍ରରେ ଶୀର୍ଷ ସଫଳତା ଲାଭ କରିଥିବା ଓଡ଼ିଶାର ୭ ଜଣ ପରିଚିତ ବ୍ୟକ୍ତିତ୍ବଙ୍କୁ ପଦ୍ମପୁରସ୍କାର ଲାଗି ମନୋନୀତ କରାଯାଇଛି। ବିଶିଷ୍ଟ ସାହିତ୍ୟିକ ଡ. ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି। ସେହିପରି  କ୍ରୀଡ଼ାବିତ ପ୍ରମୋଦ ଭଗତ (କ୍ରୀଡ଼ା), ଶ୍ରମଦ ବାବା ବଳିଆ (ସମାଜ ସେବା), ଆଦିତ୍ୟ ପ୍ରସାଦ ଦାସ (ବିଜ୍ଞାନ ଓ ଇଂଜିନିୟରିଂ), ଶ୍ୟାମାମଣି ଦେବୀ ( କଳା) ଓ  ନୃସିଂହ ପ୍ରସାଦ ଗୁରୁ (ସାହିତ୍ୟ ଓ ଶିକ୍ଷା)ଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ନେଇ ଘୋଷଣା କରାଯାଇଛି । ଗତ ବର୍ଷ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଓଡ଼ିଆ ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାାତ୍ରଙ୍କୁ ମଧ୍ୟ ପଦ୍ମଶ୍ରୀ ପ୍ରଦାନ କରାଯିବ ।  ଫଳରେ ଚଳିତ ବର୍ଷ ଓଡ଼ିଶାରୁ ୭ଜଣ ପ୍ରତିଭା ଦେଶର ଶ୍ରେଷ୍ଠ ବେସାମରିକ ପୁରସ୍କାର ଲାଭ କରିବାକୁ ଯାଉଛନ୍ତି।

ଚଳିତ ବର୍ଷ ମୋଟ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ  ପୁରସ୍କାର ପ୍ରଦାନ କରାଯିବ । ପଦ୍ମ ପୁରସ୍କାର ପ୍ରତି ବର୍ଷ ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଘୋଷଣା କରାଯାଇଥାଏ । ଏହାର କିଛି ମାସ ପରେ ଅର୍ଥାତ ମାର୍ଚ୍ଚ କିମ୍ବା ଏପ୍ରିଲରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ସୁନାମ ଆଣିଥିବା ଦୁଇ ପ୍ରଯୁକ୍ତିବିତ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ଓ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ପଦ୍ମଭୂଷଣ ମିଳିବ । ସେହିପରି କଂଗ୍ରେସ ନେତା ଗୁଲାମ ନବି ଆଜାଦଙ୍କୁ ମଧ୍ୟ ପଦ୍ମଭୂଷଣ ମିଳିବ।

ସମ୍ବନ୍ଧିତ ଖବର