କରୋନା ଆତଙ୍କ: ଅପ୍ରେଲ ୩ରେ ହେବାକୁ ଥିବା ପଦ୍ମ ପୁରସ୍କାର ସମାରୋହ ସ୍ଥଗିତ

ନୂଆଦିଲ୍ଲୀ: କରୋନାଭାଇରସର ପ୍ରଭାବ ଏବେ ସାରା ବିଶ୍ବରେ ଦେଖିବାକୁ ମିଳୁଛି। ଭାରତରେ ଏବେ ବିଭିନ୍ନ ରାଜ୍ୟରେ ସ୍କୁଲ-କଲେଜ, ସିନେମା ହଲ୍ ଏବଂ ବଡ଼ ବଡ଼ ଇଭେଣ୍ଟକୁ ସ୍ଥଗିତ ରଖାଯାଇଥିବା ବେଳେ ଲୋକମାନଙ୍କୁ ସତର୍କ ରହିବା ପାଇଁ ସରକାରଙ୍କ ପକ୍ଷରୁ ଉପଦେଶ ଦିଆଯାଉଛି। ତେବେ ଏ ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ କାର୍ଯ୍ୟକ୍ରମକୁ ବାତିଲ କରାଯାଇସାରିଥିବା ବେଳେ ଏବେ ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ହେବାକୁ ଥିବା ପଦ୍ମ ପୁରସ୍କାର ସମାରୋହକୁ ସ୍ଥଗିତ ରଖାଯାଇଛି। ସମାରୋହଟି ଅପ୍ରେଲ ୩ରେ ହେବାକୁ ଥିବା ବେଳେ ଏବେ କାର୍ଯ୍ୟକ୍ରମକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

indiatoday.in

ବର୍ତ୍ତମାନ ଦେଶରେ କରୋନାଭାଇରସକୁ ନେଇ ଉପୁଜିଥିବା ପରିସ୍ଥିତିକୁ ଦେଖି ପୁରସ୍କାର ସମାରୋହକୁ ସ୍ଥଗିତ କରାଯାଇଛି। ତେବେ ଖୁବ୍ ଶୀଘ୍ର ଏହି ସମାରୋହ ପାଇଁ ଏକ ନୂଆ ତାରିଖ ଘୋଷଣା କରାଯିବ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନା ମୁତାବକ, ଭାରତରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ରାଷ୍ଟ୍ରପତି ଭବ‌ନରେ ପ୍ରତିବର୍ଷ ଆୟୋଜିତ ହେଉଥିବା ହୋଲି ପାଳନକୁ ଚଳିତ ବର୍ଷ କରୋନା ସଂକ୍ରମଣ ଭୟ ପାଇଁ ବାତିଲ କରିଦିଆଯାଇଥିବା ବେଳେ ଏବେ ପଦ୍ମ ପୁରସ୍କାର ସମାରୋହକୁ ବାତିଲ କରାଯାଇଛି। ଭାରତରେ ଏବେ ୮୪ଜଣ କରୋନା ଆକ୍ର‌ାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେ ମଧ୍ୟରୁ ୨ଜଣ ପ୍ରାଣ ହରାଇଛନ୍ତି। ଆଗକୁ ପରିସ୍ଥିତିର ଯେପରି ଅଧିକ ଗୁରୁତର ନହୁଏ, ସେଥିପାଇଁ ସରକାର ଏଭଳି ପଦକ୍ଷେପ ନେଉଛନ୍ତି।

ସମ୍ବନ୍ଧିତ ଖବର